ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ (Cabinet Committee on Economic Affairs) ସମିତି ବୈଠକରେ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ ଭେଣ୍ଡର୍ସ ନିଧି (ପିଏମ-ସ୍ବନିଧି) ଯୋଜନାର ଅବଧି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହି ଯୋଜନାକୁ ମାର୍ଚ୍ଚ ୨୦୨୨ ଠାରୁ ଆସନ୍ତା ୨୦୨୪ ଡିସେମ୍ବର ମାସ ପର୍ଯ୍ୟନ୍ତ ଜାରି ରଖାଯିବ । ଉଠାଦୋକାନୀ ଏବଂ ସେମାନଙ୍କ ପରିବାରକୁ ବିନା କୌଣସି ବନ୍ଧକରେ ଋଣ ଯୋଗାଇ ଦେବା, ଡିଜିଟାଲ ନେଣଦେଣକୁ ବଢାଇବା ଏବଂ ସେମାନଙ୍କର ସାମାଜିକ-ଆର୍ଥିକ ବିକାଶ ପ୍ରତି ଏହି ଯୋଜନାରେ ଧ୍ୟାନ ଦିଆଯାଇଛି ।
ପିଏମ ସ୍ବନିଧି ଯୋଜନାରେ ଉଠାଦୋକାନୀମାନଙ୍କୁ ବିନା କୌଣସି ବନ୍ଧକରେ ଶସ୍ତା ଋଣ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ଯୋଜନା ପାଇଁ ୫ ହଜାର କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯାଇଥିଲା । ଆଜି ଯୋଜନା ସମ୍ପ୍ରସାରଣ ଲାଗି କ୍ୟାବିନେଟ ମଞ୍ଜୁରି ମିଳିବା ପରେ ଋଣ ପାଇଁ ମୋଟ ଅର୍ଥରାଶି ପରିମାଣକୁ ୮ ହଜାର ୧୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଯାହାଫଳରେ ଅଧିକ ସଂଖ୍ୟାରେ ଉଠାଦୋକାନୀଙ୍କୁ କାର୍ଯ୍ୟଶୀଳ ପୁଞ୍ଜି ଉପଲବ୍ଧ ହୋଇପାରିବ । ଏହି ଆର୍ଥିକ ପ୍ରୋତ୍ସାହନ ଜରିଆରେ ସେମାନେ ନିଜର ବ୍ୟବସାୟ ବଢାଇବା ସହିତ ଆତ୍ମନିର୍ଭରଶୀଳ ହୋଇପାରିବେ ।