ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଯୋଜନାକୁ କ୍ୟାବିନେଟ ମଞ୍ଜୁର କରିଛି । ଏହା ସହିତ ବହୁମୁଖୀ ଯୋଗଯୋଗ ଯୋଗାଇ ଦେବା ପାଇଁ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର କାର୍ଯ୍ୟକାରିତା, ରୂପାୟନ, ଅନୁଧ୍ୟାନ ଏବଂ ସହାୟକ ବ୍ୟବସ୍ଥା ନିମନ୍ତେ ଏକ ସଂସ୍ଥାଗତ ଢାଞ୍ଚାକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩ ଅକ୍ଟୋବର ୨୦୨୧ରେ ମଲ୍ଟିମୋଡାଲ କନେକ୍ଟିଭିଟି ପାଇଁ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନକୁ ଅନୁମୋଦନ କରିଥିଲେ। ଏହାର କାର୍ଯ୍ୟକାରିତା ଢାଞ୍ଚାରେ ସାମିଲ ରହିଛି । ସଚିବମାନଙ୍କର ଏକ କ୍ଷମତା ସମ୍ପନ୍ନ ଗୋଷ୍ଠୀ (ଇଜିଓଏସ) ନେଟୱର୍କ ଯୋଜନା ପ୍ରସ୍ତୁତି ଗୋଷ୍ଠୀ (ଏନପିଜି) ଆବଶ୍ୟକ ବୈଷୟିକ ଦକ୍ଷତା ସହିତ ଏକ ବୈଷୟିକ ସହାୟତା ୟୁନିଟ (ଟିଏସୟୁ)।
ଇଜିଓଏସରେ କ୍ୟାବିନେଟ ସଚିବ ଅଧ୍ୟକ୍ଷତା କରିବେ ଏବଂ ଏଥିରେ 18ଟି ମନ୍ତ୍ରଣାଳୟର ସଚିବ ସଦସ୍ୟ ରହିବେ। ଗୋଷ୍ଠୀର ଆବାହକ ଭାବେ ଲଜିଷ୍ଟିକ୍ସ ଡିଭିଜନର ମୁଖ୍ୟ ଦାୟିତ୍ବ ଗ୍ରହଣ କରିବେ। ସମନ୍ବୟ ଦକ୍ଷତା ସୁନିଶ୍ଚିତ କରିବା ଲାଗି ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର କାର୍ଯ୍ୟକାରିତା ସମୀକ୍ଷା ଏବଂ ଅନୁଧ୍ୟାନ କରିବା ଇଜିଓଏସ ପାଇଁ ବାଧ୍ୟତାମୂଳକ କରାଯାଇଛି। ଜାତୀୟ ମାଷ୍ଟର ପ୍ଲାନରେ କୌଣସି ପ୍ରକାରର ପରବର୍ତ୍ତୀ ସଂଶୋଧନ ଲାଗୁ କରିବା ଲାଗି ଢାଞ୍ଚା ଓ ମାନଦଣ୍ଡ ସମ୍ପର୍କରେ ସୁପାରିସ କରିବା ନିମନ୍ତେ ଇଜିଓଏସକୁ କ୍ଷମତା ପ୍ରଦାନ କରାଯାଇଛି। ବିଭିନ୍ନ ପ୍ରକାର କାର୍ଯ୍ୟକଳାପକୁ ସମକାଳୀନ କରିବା ଲାଗି ଏହି ଗୋଷ୍ଠୀ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଏବଂ ନିର୍ଦ୍ଧାରିତ ଢାଞ୍ଚା ପ୍ରସ୍ତୁତ କରିବ। ଏହାଛଡା ବିଭିନ୍ନ ଭିତ୍ତିଭୂମି ବିକାଶ ଯୋଜନାଗୁଡ଼ିକ ଯେପରି ଗୋଟିଏ ଏକୀକୃତ ଡିଜିଟାଲ ପ୍ଲାଟଫର୍ମର ଅଂଶବିଶେଷ ହୋଇପାରିବେ ଇଜିଓଏସ ତାହା ସୁନିଶ୍ଚିତ କରିବ। ଇସ୍ପାତ, କୋଇଲା, ସାର ଆଦି ବିଭିନ୍ନ ମନ୍ତ୍ରଣାଳୟର ଆବଶ୍ୟକତା ମୁତାବକ ଦକ୍ଷତାପୂର୍ଣ୍ଣ ଭାବେ ମୋଟ ଆକାରର ସାମଗ୍ରୀ ପରିବହନ କ୍ଷେତ୍ରରେ, ଦେଖାଦେଉଥିବା ଚାହିଦା ପୂରଣ ଲାଗି ମଧ୍ୟ ଇଜିଓଏସ ହସ୍ତକ୍ଷେପ କରିପାରିବ।
ବିଭିନ୍ନ ଭିତ୍ତିଭୂମି ମନ୍ତ୍ରଣାଳୟର ନେଟୱର୍କ ଯୋଜନା ପ୍ରସ୍ତୁତି ବିଭାଗର ମୁଖ୍ୟମାନଙ୍କୁ ନେଇ ଏକ ନେଟୱର୍କ ଯୋଜନା ପ୍ରସ୍ତୁତି ଗୋଷ୍ଠୀ (ଏନପିଜି)ର ଗଠନ, ଢାଞ୍ଚା ଓ ସନ୍ଦର୍ଭ ସର୍ତ୍ତାବଳୀକୁ ମଧ୍ୟ ସିସିଇଏ ଅନୁମୋଦନ କରିଛି। ଏହି ଗୋଷ୍ଠୀ ଇଜିଓଏସକୁ ସହାୟତା ଯୋଗାଇ ଦେବ।