ହାଇଦ୍ରାବାଦ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସମଗ୍ର ଦେଶର ନଜର ଥିବା ବେଳେ ଆଜି 4 ରାଜ୍ୟର 4 ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ ଫଳାଫଳ ମଧ୍ୟ ସାମ୍ନାକୁ ଆସିିଛି । ପଞ୍ଜାବରେ ଜଳନ୍ଧର ଲୋକସଭା ଆସନ, ଉତ୍ତର ପ୍ରଦେଶର ଦୁଇଟି ବିଧାନସଭା ଆସନ, ଓଡ଼ିଶାର ଗୋଟିଏ ବିଧାନସଭା ଆସନ ଓ ଉତ୍ତର-ପୂର୍ବ ରାଜ୍ୟ ମେଘାଳୟରେ ଗୋଟିଏ ବିଧାନସଭା ଆସନରେ ଆଜି ଉପନିର୍ବାଚନ ଫଳାଫଳ ଆସିଛି ।
ଆଜି ପଞ୍ଜାବର ଜଳନ୍ଧର ସଂସଦୀୟ ଆସନରେ ଉପନିର୍ବାଚନ ହୋଇଥିଲା । ଏହି ଆସନ ଶାସନରେ ଥିବା ଆମ ଆଦମୀ ପାର୍ଟି କବଜାକୁ ଯାଇଛି । ଆପ ପ୍ରାର୍ଥୀ ସୁଶୀଲ କୁମାର ରିଙ୍କୁ ନିଜ ନିକଟତନ ପ୍ରତିଦ୍ବନ୍ଦ୍ବୀ ଭାବେ କଂଗ୍ରେସ ପ୍ରାର୍ଥୀ କରମଜିତ କୌର ଚୌଧୁରୀଙ୍କୁ ହରାଇଛନ୍ତି । ଏହି ଆସନ 1999ଠାରୁ କଂଗ୍ରେସର ଥିଲା । ଜାନୁଆରୀରେ ଭାରତ ଯୋଡୋ ଯାତ୍ରାରେ ଅଂଶଗ୍ରହଣ କରିଥିବା ତତ୍କାଳୀନ କଂଗ୍ରେସ ସାଂସଦ ସନ୍ତୋଖ ସିଂ ଚୌଧୁରୀଙ୍କ ହୃଦଘାତରେ ଦେହାନ୍ତ ହୋଇଥିଲା । ଏବେ ଏହି ଆସନ କଂଗ୍ରେସରୁ ଆମ ଆଦମୀ ପାର୍ଟି ଖାତାକୁ ଯାଇଛି ।
ଉତ୍ତର ପ୍ରଦେଶରେ ଦୁଇଟି ବିଧାନସଭା ଆସନରେ ହୋଇଥିବା ଏହି ଉପନିର୍ବାଚନରେ ଆପନା ଦଳ(ସୋନେନାଲ) ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଛାନବେ ଆସନରେ ଆପନା ଦଳ ପ୍ରାର୍ଥୀ ରିଙ୍କି କୋଲ ସମାଜବାଦୀ ପାର୍ଟି ପ୍ରାର୍ଥୀ କିର୍ତ୍ତି କୋଲଙ୍କୁ ହରାଇ ବିଜୟୀ ହୋଇଛନ୍ତି । ସେହିପରି ଅନ୍ୟତମ ଆସନ ସୁଆରରେ ସଫିକ୍ ଅହମ୍ମଦ ଅନସାରୀ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅନୁରାଧା ଚୌହାନଙ୍କୁ ହରାଇଛନ୍ତି । ଉଭୟ ଆସନରେ ଆପନା ଦଳ ପ୍ରାର୍ଥୀ ଜିତିଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ଭାବେ ସମାଜବାଦୀ ପାର୍ଟି ପ୍ରାର୍ଥୀ ପରାଜିତ ହୋଇଛନ୍ତି ।