ପାଟନା:ଫେରିବ ନିଖୋଜ ପୁଅ । ଦୀର୍ଘ ୧୨ ବର୍ଷ ଧରି ନିଖୋଜ ଥିବା ପୁଅ ଶେଷରେ ଘରକୁ ଫେରିବ । ତେବେ ବିହାରର ବକ୍ସର ଜିଲ୍ଲାର ମୁଫସିଲ୍ ଥାନା ଅନ୍ତଗର୍ତ ଖିଲାଫତପୁର ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ମୁଫସିଲ୍ ଥାନା ଅନ୍ତଗର୍ତ ଖିଲାଫତପୁର ଗାଁରେ ଛବି ମୁସହର ୧୨ ବର୍ଷ ତଳେ କୁଆଡେ ନିଖୋଜ ହୋଇଯାଇଥିଲେ । ତେବେ ଘର ଲୋକ ତାଙ୍କୁ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇନଥିଲେ । ଶେଷରେ ପରିବାର ଲୋକ ଛବିଙ୍କୁ ମୃୃତ ଭାବି ତାଙ୍କ ଅନ୍ତିମ ସଂସ୍କାର ମଧ୍ୟ କରି ଦେଇଥିଲେ ।
ମାତ୍ର କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟର ଏକ ଚିଠିରୁ ସେ ବଞ୍ଚିଥିବା ନେଇ ଜଣାପଡିବାର ପରିବାରରେ ଖୁସିର ଲହରୀ ଖେଳିଯାଇଛି । ତେବେ ଛବି ମୁସହର ୧୨ ବର୍ଷ ତଳେ ଘରୁ କୁଆଡେ ପଳାଇ ଯାଇଥିବା ବେଳେ ସେ ଭୁଲରେ ପାକିସ୍ତାନ ସୀମା ଅତିକ୍ରମ କରି ପାକିସ୍ତାନ ପଳେଇ ଯାଇଥିଲେ । ଏହାପରେ ତାଙ୍କୁ ପାକିସ୍ତାନରେ ଗିରଫ କରାଯିବା ସହ କରାଚୀ ଜେଲରେ ରଖାଯାଇଥିଲା ।
ସେହିଭଳି ଗୁରୁଦାସପୁର ଜିଲ୍ଲାପାଳ ଅମନ ସମୀରଙ୍କ କହିବା ଅନୁଯାୟୀ, ଛବି ମୁସହର ଭୁଲରେ ପାକିସ୍ତାନ ପଳେଇ ଯାଇଥିବାବେଳେ ପାକିସ୍ତାନ ସରକାର ତାଙ୍କୁ ବନ୍ଦୀ କରିବା ସହ କରାଚୀ ଜେଲର ରଖିଥିଲେ । ତେବେ ପଞ୍ଜାବର ଅଟ୍ଟାରୀ ସୀମାରେ ବିଏସଏଫକୁ ପାକିସ୍ତାନ ସେନା ଛବିକୁ ହସ୍ତାନ୍ତର କରିଥିଲେ । ଏହାପରେ ବିଏସଏଫ ଗୁରୁଦାସପୁର ଜିଲ୍ଲାପାଳଙ୍କୁ ଛବି ମୁସହାରଙ୍କୁ ହସ୍ତାନ୍ତର କରିଥିଲେ ।