ପାଟନା:ବିହାରର କୈମୁର ଜିଲ୍ଲା ଚେନପୁର ଥାନା ଅଞ୍ଚଳରେ ଏକ ମଇଁଷି ପାଟିରେ ଫୁଟିଛି ବୋମା । ଏହି ଜୀବଟି ବୋମା ଖାଦ୍ୟ ଭାବି ଖାଇବା ପରେ ଘଟିଛି ଏହି ଅଘଟଣ (Buffalo Ate Bomb in Kaimur)। ବିସ୍ଫୋରଣ ପରେ ମଇଁଷିର ଅବସ୍ଥା ଗମ୍ଭୀର ଥିବା ବେଳେ ତାର ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି । ବୋମା କିପରି ସେଠାରେ ରଖାଯାଇଥିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଥାନାରେ ଅଭିଯୋଗ କରିଛନ୍ତି ମଇଁଷିର ମାଲିକ ।
ଏହି ଅଞ୍ଚଳରେ ଯିଏ ବି ବୋମା ରଖିଥିଲା ସେ ନେଇ ତଦନ୍ତ ହେଉ ଏବଂ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମାଲିକ ଦାବି କରିଛନ୍ତି । ଚେନପୁର ଥାନା ଅଞ୍ଚଳର ସରୈୟା ଗ୍ରାମବାସୀ ଚତୁରଗୁନ ବିନ୍ଦ ନିଜ ପୋଷା ମଇଁଷିକୁ ଚରାଇବା ଲାଗି ଜଙ୍ଗଲକୁ ନେଇଥିଲେ । ଏହି ଜଙ୍ଗଲରେ କେହି ଜଙ୍ଗଲୀ ପଶୁକୁ ହତ୍ୟା କରିବା ଲାଗି ବୋମା ଖଞ୍ଜିଥିଲେ । ଘାସ ଚରୁଥିବା ବେଳେ ମଇଁଷିଟି ଏହି ବୋମାକୁ ମଧ୍ୟ ଖାଇଥିଲା । ଯାହାକି ତା' ମୁହଁରେ ଫୁଟିଥିବା ଜଣାପଡ଼ିଛି ।
ଏହା ବି ପଢନ୍ତୁ- Bharat Jodo Yatra: ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ପ୍ରଶ୍ନ, କୁଆଡେ ଗଲା ୨ କୋଟି ନିଯୁକ୍ତି
ଏହି ନିରୀହ ଜୀବଟି କିପରି ଚିହ୍ନିବ ବୋମାକୁ । ସେ ଚରୁଥିବା ସମୟରେ ଭୁଲବଶତଃ ଏହାକୁ ଖାଇବା ପରେ ତା ମୁହଁ ମଧ୍ୟରେ ବିସ୍ଫୋରଣ ହୋଇଥିଲା । ଫଳରେ ତାର ମୁହଁ ଗଭୀର ଭାବରେ ପ୍ରଭାବିତ ହୋଇଛି । ଶବ୍ଦ ଶୁଣି ମାଲିକ ଚତୁରଗୁନ ବିନ୍ଦ ଉକ୍ତ ସ୍ଥାନରେ ପହଞ୍ଚିବା ପରେ ଗୁରୁତର ଅବସ୍ଥାରେ ମଇଁଷିଟିକୁ ଚିକିତ୍ସା ଲାଗି ହସ୍ପିଟାଲକୁ ନେଇଥିଲେ । ଏଠାରେ ପଶୁ ଡାକ୍ତର ଦ୍ବାରା ଆଘାତପ୍ରାପ୍ତ ମଇଁଷିର ଚିକିତ୍ସା ଜାରି ରହିଛି । ଏହି ଘଟଣାରେ ମାଲିକ ଚତୁରଗୁନ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ସେ କହିଛନ୍ତି, "ମୁଁ ମୋ ପାଳିତ ମଇଁଷିକୁ ଚରାଇବା ଲାଗି ନେଇ ଯାଇଥିଲି । ମଇଁଷି ସେଠାରେ ଚରୁଥିବା ସମୟରେ ହିଁ ତା' ପାଟିରେ ବୋମା ଫୁଟିଥିଲା । ସେ ବୋମାକୁ ଚୋବାଇବା ବେଳେ ତା' ମୁହଁରେ ବିସ୍ଫୋରଣ ଘଟିଛି । ଯାହାଦ୍ବାରା ତା'ର ଗଳା ଓ ପାଟି ଖଣ୍ଡ ବିଖଣ୍ଡିତ ହୋଇଯାଇଛି ।"