ନୂଆଦିଲ୍ଲୀ: ଆଜିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ (Budget session of Parliament to start from today)। କୋଭିଡ କଟକଣା ମଧ୍ୟରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବଜେଟ ଅଧିବେଶନ । ଫେବୃଆରୀ ୧୧ ଯାଏଁ ଚାଲିବାକୁ ଥିବା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହର ସଦସ୍ୟଙ୍କୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହା ପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ।
ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲୋକସଭା ଓ ରାଜ୍ୟସଭାର ମିଳିତ ବୈଠକକୁ ସମ୍ବୋଧନ କରିବେ । ପ୍ରତିବର୍ଷ ବଜେଟ ଉପସ୍ଥାପନ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯାଏ ସେହିପରି ଆଜି ପ୍ରଥମେ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ । ସର୍ଭେ ରିପୋର୍ଟରେ ଆର୍ଥିକ ସ୍ଥିତି, ଆହ୍ବାନ ଓ ତାର ମୁକାବିଲା ସମ୍ପର୍କରେ ପ୍ରସ୍ତାବ ରହିଥାଏ । ଫେବ୍ରୃଆରୀ ୧ତାରିଖରେ ପୂର୍ବାହ୍ନ ୧୧ଟାରେ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥର ବଜେଟ କାଗଜବିହୀନ ହୋଇଛି । ପାରମ୍ପରିକ ବହି ଖାତା ବଦଳରେ ଏକ ଟ୍ୟାବଲେଟ ଧରି ଗୃହକୁ ଆସିବେ ଅର୍ଥମନ୍ତ୍ରୀ ।
ବଜେଟ ଅଧବେଶନକୁ ସୁରୁଖୁରୁରେ ଚଳାଇବାକୁ ରବିବାର ଅପରାହ୍ନ ୩ଟାରେ ସର୍ବଦଳୀୟ ବୈଠକ ଡାକିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ଏଥିରେ ଉଭୟ ଗୃହର ବିଭିନ୍ନ ଦଳର ନେତାମାନେ ଯୋଗ ଦେଇଥିଲେ । ଗୃହ କାର୍ଯ୍ୟରେ ସହଯୋଗ ଲାଗି ବୈଠକରେ ବଚସ୍ପତି ସବୁ ଦଳର ସହଯୋଗ ଲୋଡିଛନ୍ତି । ସେହିପରି ରାଜ୍ୟସଭା ଅଧକ୍ଷ୍ୟ ଆଜି(ସୋମବାର) ଅପରାହ୍ନ ୫ଟାରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ।