ଲକ୍ଷ୍ନୌ:ଉତ୍ତର ପ୍ରଦେଶ ପ୍ରୟାଗରାଜ ପୌର ନିର୍ବାଚନରେ ଜେଲରେ ବନ୍ଦ ଥିବା ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ପରିବାରରୁ କାହାକୁ ଟିକେଟ ଦେବନାହିଁ ବହୁଜନ ସମାଜବାଦୀ ପାର୍ଟି । ଆଜି (ସୋମବାର) ଏନେଇ ପାର୍ଟି ସୁପ୍ରିମୋ ତଥା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଘୋଷଣା କରିଛନ୍ତି । ଏକାଧିକ ଅପରାଧିକ ମାମଲାରେ ଗୁଜୁରାଟର ସାବରମତି ଜେଲ୍ରେ ଥିବା ମାଫିଆ ଅତିକ ଅହମ୍ମଦ ଏବେ 2005 ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ତଦନ୍ତ ପରିସରରେ ରହିଛି । ଅତିକ ଅହମ୍ମଦ ଜେଲରେ ଥାଇ ମଧ୍ୟ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ସନ୍ଦେହ କରୁଛି ।
ଅତିକର ନାଁ ନେଇ ଗୃହରେ ଗର୍ଜିଥିଲେ ଯୋଗୀ:ଅତିକର ମାଫିଆଗିରି ଓ ଉତ୍ତର ପ୍ରଦେଶରେ ମାଫିଆଙ୍କ ଦୌରାତ୍ମ ନେଇ ବିଧାନସଭାରେ ମଧ୍ୟ ହଙ୍ଗାମା ହୋଇଥିଲା । ଯୋଗୀ ସରକାର ଏବେ ମାଫିଆଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ମାଫିଆଙ୍କୁ ଅଖିଳେଶଙ୍କ ନେତୃତ୍ବାଧୀନ ସମାଜବାଦୀ ପାର୍ଟି ଟିକେଟ ଦେଇ ନିର୍ବାଚନ ଲଢାଇବା ସହ ରାଜନୈତିକ ପୃଷ୍ଠପୋଷକତା ଯୋଗାଇ ଆସିଥିବା ମୁଖ୍ଯମନ୍ତ୍ରୀ ଯୋଗୀ ବିଧାନସଭାରେ ସିଧା ସଳଖ କହିଥିଲେ । ସେହିପରି ସେ ଉମେଶ ପାଲ ହତ୍ୟାକାଣ୍ଡ ନେଇ ସିଧାସଳଖ ଅତିକ ଅହମ୍ମଦର ନାମ ମଧ୍ୟ ନେଇଥିଲେ । ମାଫିଆଙ୍କୁ ମାଟିରେ ମିଶାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ କହିବା ପରେ ଅତିକ ଅହମ୍ମଦର ଏନକାଉଣ୍ଟର ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା ।
ଅତିକ ପରିବାରର ରହିଛି ରାଜନୈତିକ ଲିଙ୍କ୍:ମାଫିଆରୁ ରାଜନେତା ହୋଇଥିବା ଅତିକ ଗତ କିଛି ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶର ସପା ଓ ବସପାରୁ ଟିକେଟ ପାଇ ନିର୍ବାଚନ ଲଢିସାରିଛି । ସେହିପରି ସେ ଜେଲକୁ ଗଲା ପରେ ମଧ୍ୟ ତାର ପରିବାର ସଦସ୍ୟ ବିଭିନ୍ନ ନିର୍ବାଚନ ବିଭିନ୍ନ ଦଳୀୟ ଟିକେଟରେ ଲଢିଛନ୍ତି । ଏହି ମାଫିଆ ପରିବାରର ପୂର୍ବ ରାଜନୈତିକ ସମ୍ପର୍କ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ସହ ମଧ୍ୟ ରହିଛି । ତେଣୁ ଉତ୍ତର ପ୍ରଦେଶ ମାଫିଆ ରାଜ ରାଜନୈତିକ ପୃଷ୍ଠପୋଷକତାରେ ଚାଲିଥିବା ମଧ୍ୟ ଚର୍ଚ୍ଚା ହୁଏ । ଏବେ ରାଜ୍ୟରେ ଅର୍ବାନ ବଡି ପୋଲ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ବହୁଜନ ସମାଜବାଦୀ ପାର୍ଟି । ଏଥର ଚଳିତ ନିର୍ବାଚନରେ ଅତିକର ପରିବାରରୁ କେହି ଦଳୀୟ ଟିକେଟ ପାଇବେ ନାହିଁ ବୋଲି ନିଜେ ପାର୍ଟି ସୁପ୍ରିମୋ ମାୟାବାତୀ ସ୍ପଷ୍ଟ କରିଛନ୍ତି ।