ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀଙ୍କ ଭର୍ଚ୍ଚୁଆଲ କାର୍ଯ୍ୟକ୍ରମରେ ‘ଭାରତ ମାତା କି ଜୟ’ ନାରାକୁ ନେଇ ହଙ୍ଗମା । ଏହି ନାରା ପାଇଁ ଜଣେ ବହୁଜନ ସମାଜବାଦୀ ପାର୍ଟିର ସାଂସଦ ଆପତ୍ତି ଦର୍ଶାଇବା ପରେ କାର୍ଯ୍ୟକ୍ରମରେ ଉତ୍ତେଜନା ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶ ଆମରୋହା ରେଳ ଷ୍ଟେସନରେ ଆୟୋଜିତ ‘ଅମୃତ ଭରତ ଷ୍ଟେସନ’ ଯୋଜନା କାର୍ଯ୍ୟକ୍ରମରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ଭର୍ଚୁଆଲ୍ ଉଦ୍ଘାଟନ ପୂର୍ବରୁ ଶିକ୍ଷକ ବିଧାୟକ ହରି ସିଂ ଧିଲନ୍ ‘ଭାରତ ମାତା କି ଜୟ’ଙ୍କ ସ୍ଲୋଗାନ ଦେଇଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଏସପି ସାଂସଦ କନୱାର ଦାନିଶ ଅଲ୍ଲୀ ଏହାକୁ ବିରୋଧ କରିବା ଆରମ୍ଭ କରିଥିଲେ ।
ଏହା ପରେ ଉଭୟ ସାଂସଦ ଓ ବିଧାୟକଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଉଭୟ ଗୋଷ୍ଠୀ ହଙ୍ଗାମା ଆରମ୍ଭ କରିଥିଲେ । ମାଇକ ଭାଙ୍ଗିବାକୁ ପ୍ରୟାସ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଭର୍ଚ୍ଚୁଆଲ ସମ୍ବୋଧନ ଆରମ୍ଭ ହେବା ପୂର୍ବରୁ ଏହି ହଙ୍ଗାମା ବେଶ କିଛି ସମୟ ଧରି ଜାରି ରହିଥିଲା । କାର୍ଯ୍ୟକ୍ରମ ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ନାରାରେ ଆପତ୍ତି ଦର୍ଶାଇଥିବା ବସପା ସାଂସଦ କନୱାର ଦାନିଶ ଅଲ୍ଲୀ କହିଛନ୍ତି, ଏହା ଏକ ସରକାରୀ କାର୍ଯ୍ୟକ୍ରମ, ଏହା କୌଣସି ପାର୍ଟି କାର୍ଯ୍ୟକ୍ରମ ନୁହେଁ । ତେଣୁ ଏହି ନାରାର କୌଣସି ଆବଶ୍ୟକତା ନାହିଁ । ଅନ୍ୟପଟେ ଏହି ଭାରତ ମାତା କି ଜୟ ନାରା ଦେବା ଆରମ୍ଭ କରିଥିବା ଶିକ୍ଷକ ବିଧାୟକ ହରି ସିଂ ଧିଲନ୍ କହିଛନ୍ତି, ‘‘ପ୍ରତ୍ୟେକ କାର୍ଯ୍ୟକ୍ରମରେ ଭାରତ ମାତା ସ୍ଲୋଗାନ ଦିଆଯାଉଛି । ଏଥିରେ କ’ଣ ଭୁଲ୍ ଅଛି । ସାଂସଦ ଏହାକୁ ବିରୋଧ କରିବା ଆରମ୍ଭ କରିବାରୁ କାର୍ଯ୍ୟକ୍ରମରେ ବିଶୃଙ୍ଖଳା ହୋଇଥିଲା । ଆମେ ସମସ୍ତେ ଭାରତୀୟ ନାଗରିକ, ଭାରତ ମାତା ନାରା ଦେବାରେ କ’ଣ ସମସ୍ୟା ରହିଛି । ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ଭରତ ମାତା କି ଜୟ କହିଛନ୍ତି । ଏକ କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦଙ୍କ ଏପରି ବ୍ୟବହାର ନିନ୍ଦନୀୟ ।’’