ଚଣ୍ଡିଗଡ:ପୁଣି ଭାରତ ସୀମାରେ ଉଡିଲା ପାକିସ୍ତାନୀ ଡ୍ରୋନ । ପଞ୍ଜାବର ଅମୃତସର ଠାରେ ଗତକାଲି(ଶୁକ୍ରବାର) ରାତିରେ ଦୁଇଟି ପାକିସ୍ତାନୀ ଡ୍ରୋନ ଭାରତ ସୀମାରେ ପ୍ରବେଶ କରୁଥିବା ବେଳେ ସୀମା ସୁରକ୍ଷା ବଳ(BSF) ଯବାନ ଗୁଳି କରି ଖସାଇଛନ୍ତି । ଏହି ଡ୍ରୋନ ଯୋଗେ ନିଶାଦ୍ରବ୍ୟ ଚାଲାଣ କରାଯାଉଥିଲା । ଖୋଜାଖୋଜି ପରେ ଏକ ଚାଷ ଜମିରୁ କଳାରଙ୍ଗର ଗୋଟିଏ ଭଙ୍ଗା ଡ୍ରୋନ ସହ ଦୁଇଟି ଡ୍ରଗ୍ସ ପ୍ୟାକେଟ ଜବତ କରାଯାଇଛି । ଏନେଇ ବିଏସଏଫ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ରାତି ୮ଟା ୫୫ ସମୟରେ ପାକିସ୍ତାନ ପଟୁ ଗୋଟିଏ ଡ୍ରୋନ ଆସି ଅମୃତସର ସେକ୍ଟର ଅନ୍ତର୍ଗତ ଉଧର ଧରିୱାଲ ଗ୍ରାମ ଠାରେ ଭାରତୀୟ ବାୟୁସୀମାରେ ପ୍ରବେଶ କରିଥିଲା । ଡ୍ରୋନ ଶବ୍ଦ ଶୁଣି ସେଠାରେ ମୁତୟନ ଥିବା ବିଏସଏଫ ଯବାନମାନେ ଆଲର୍ଟ ହୋଇଯାଇଥିଲେ । ଡ୍ରୋନ ଭାରତ ସୀମାରେ ଉଡିବା ସହ ପାଖ ଚାଷ ଜମିରେ କିଛି ସାମଗ୍ରୀ ତଳକୁ ପକାଉଥିବାର ଶବ୍ଦ ଶୁଣିବାକୁ ମିଳିଥିଲା । ଏହା ଦେଖି ସଙ୍ଗେ ସଙ୍ଗେ ଯବାନ ଡ୍ରୋନ ଉପରକୁ ଗୁଳି କରି ତଳକୁ ଖସାଇ ଦେଇଥିଲେ । ଏହାପରେ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଖୋଜାଖୋଜି ସମୟରେ ଗାଁ ପାଖ ଚାଷ ଜମିରୁ କଳାରଙ୍ଗର ଭଙ୍ଗା ଡ୍ରୋନ ସହ ଦୁଇଟି ପ୍ୟାକେଟ ଠାବ ହୋଇଥିଲା । ତେବେ ସେହି ପ୍ୟାକେଟରୁ ପାଖାପାଖି ୨.୬ କେଜି ହେରୋଇନ ଜବତ କରାଯାଇଥିବା ସୂଚନା ମିଳିଛି ।