ଜୟପୁର:ସୀମାରେ ଅନୁପ୍ରବେଶ ଉଦ୍ୟମ ବେଳେ 2 ପାକିସ୍ତାନୀ ଅନୁପ୍ରବେଶକାରୀ ସୀମା ସୁରକ୍ଷା ବଳ (BSF)ର ଯବାନଙ୍କ ଗୁଳିରେ ନିପାତ ହୋଇଛନ୍ତି । ଗତକାଲି (ସୋମବାର) ରାତିରେ ରାଜସ୍ଥାନର ବାରମେର ନିକଟରେ ଅନ୍ତର୍ଜାତୀୟ ସୀମାରେ ଏହି ଅନୁପ୍ରବେଶ ଉଦ୍ୟମ ହେବା ବେଳେ ଏହି କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ମୃତ ଦୁଇ ଅନୁପ୍ରବେଶକାରୀ ପାକିସ୍ତାନୀ ନାଗରିକ ହୋଇଥିବା ବିଏସଏଫ ଓ ସ୍ଥାନୀୟ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ସୋମବାର ରାତିରେ ବାରମେରଓ୍ବାଲା ଚେକପୋଷ୍ଟ ନିକଟବର୍ତ୍ତୀ ଏରିଆରେ ଏହି ଦୁଇ ଅନୁପ୍ରବେଶକାରୀ ସୀମା ଅତିକ୍ରମ କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ । ରୁଟିନ୍ ପାଟ୍ରୋଲିଂରେ ଥିବା ସୀମା ସୁରକ୍ଷା ବଳର ଟିମ୍ ସେମାନଙ୍କୁ ପ୍ରଥମେ ଓ୍ବାର୍ଣ୍ଣିଂ ଦେବା ସହ ଗୁଳି ଚଳାଇଥିଲେ । ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।
ଘଟଣା ସମ୍ପର୍କରେ ସ୍ଥାନୀୟ ଅତିରିକ୍ତ ପୋଲିସ ଅଧୀକ୍ଷକ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ଗାଦରାରୋଦ ପୋଲିସ ଷ୍ଟେସନ ଅଧୀନରେ ଆସୁଥିବା ସୀମା ପୋଷ୍ଟରେ ଏହି ଘଟଣା ଘଟିଛି । ବିଏସଏଫ ସହ ସ୍ଥାନୀୟ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ଗୁଳିରେ ନିପାତ ହୋଇଥିବା ପାକିସ୍ତାନୀଙ୍କ ସମ୍ପର୍କରେ ଅଧିକ ଜେରା ଜାରି ରହିଛି । ସେମାନେ କେଉଁ ଉଦ୍ଦେଶ୍ୟରେ ଭାରତୀୟ ଅଞ୍ଚଳରେ ପ୍ରବେଶ କୁରଥିଲେ, ସେମାନେ ଆତଙ୍କବାଦୀ ନା ସୀମାପାର ନିଶା ମାଫିଆ, ସେନେଇ ଯାଞ୍ଚ ଜାରି ରହିଛି ।