ଗାନ୍ଧୀନଗର: ପୁଣି ଅନ୍ତର୍ଜାତୀୟ ଜଳସୀମା ଅତିକ୍ରମ କରି ଭାରତ ଉପକୂଳରେ ପାକିସ୍ତାନୀ ମତ୍ସ୍ୟଜୀବୀ ପ୍ରବେଶ କରିଥିବା ଘଟଣା ସାମ୍ନାକୁ ଆସିଛି । ଆଜି ଗୁଜୁରାଟର ଭୁଜ ଉପକୂଳରୁ ଏକ ପାକିସ୍ତାନୀ ମାଛ ଧରା ବୋଟକୁ ଜବତ କରିଛି ସୀମା ସୁରକ୍ଷା ବଳ (BSF)। ଗତକାଲି (ରବିବାର) ରାତି ପ୍ରାୟ 8ଟା ବେଳେ ଏହି ବୋଟକୁ ଜବତ କରାଯାଇଥିବା ବେଳେ ପାକିସ୍ତାନୀ ମତ୍ସ୍ୟଜୀବୀ ପାକିସ୍ତାନ ସୀମାକୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ।
ଗତକାଲି ରାତିରେ ଭୁଜର ହରାମି ନଳା ଅଞ୍ଚଳରେ ସାମୁଦ୍ରିକ ପାଟ୍ରୋଲିଂ ଚାଲିଥିବା ବେଳେ ଭାରତୀୟ ଜଳସୀମା ମଧ୍ୟରେ ଏହି ବୋଟକୁ ଠାବ କରାଯାଇଥିଲା । ଅନ୍ତର୍ଜାତୀୟ ସାମୁଦ୍ରିକ ଜଳ ସୀମା ବର୍ଡର ପିଲାର ନମ୍ବର-1160 ନିକଟରେ କିଛି ପାକିସ୍ତାନୀ ବୋଟ ପ୍ରବେଶ କରି ମାଛ ମାରୁଥିବା ସୂଚନା ମିଳିଥିଲା । BSF ପାଟ୍ରୋଲିଂ ୟୁନିଟ ସେମାନଙ୍କ ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରିବାରୁ ପାକିସ୍ତାନୀ ମତ୍ସ୍ୟଜୀବୀମାନେ ଚତୁରତାର ସହ ପାକିସ୍ତାନ ଜଳସୀମା ମଧ୍ୟକୁ ଫେରି ଯାଇଥିଲେ ।