ଚଣ୍ଡିଗଡ:ଭାରତ ବାୟୁସୀମାରେ ପାକିସ୍ତାନୀ ଡ୍ରୋନ ପ୍ରବେଶ କରିବା ନିତିନିଦିଆ ଘଟଣା ହୋଇଗଲାଣି । ବାରମ୍ବାର ଭାରତୀୟ ସୀମାରେ ପାକିସ୍ତାନ ଡ୍ରୋନ ଉଡୁଥିବାର ନିଜର ଆସୁଛି । ପଞ୍ଜାବ ଅମୃତସର ସେକ୍ଟରରେ ଏହି ଡ୍ରୋନ ଅଧିକ ଦେଖିବାକୁ ମିଳୁଛି । ସୀମା ସୁରକ୍ଷା ବଳର ଯବାନ ମଧ୍ୟ ଡ୍ରୋନଗୁଡିକ ଉପରେ ନଜର ରଖି ଏହାକୁ ନଷ୍ଟ କରିଦେଉଛନ୍ତି । ଏବେ ପୁଣିଥରେ ଅମୃତସର ସେକ୍ଟରରେ ଆଉ ଏକ ପାକିସ୍ତାନୀ ଡ୍ରୋନ ଠାବ ହୋଇଛି । ବିଏସଏଫ ଏବଂ ପଞ୍ଜାବ ପୋଲିସ ମିଳିତ ଅପରେସନ ଚଳାଇ ଡ୍ରୋନଟିକୁ ଜବତ କରିଛନ୍ତି । ଏନେଇ ଆଜି(ଶୁକ୍ରବାର) ବିଏସଏଫ ପଞ୍ଜାବ ଫ୍ରଣ୍ଟିୟର ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ, ଅମୃତସହରର ଧାନୋଇ କାଲାନ ଗାଁ ନିକଟରେ ଥିବା ଚାଷ ଜମିରୁ ଏହି ଡ୍ରୋନ୍ ଜବତ କରାଯାଇଛି । ଡ୍ରୋନଟି ପାକିସ୍ତାନ ପଟୁ ଆସି ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲା । ଜବତ ଡ୍ରୋନ ଗୋଟିଏ କ୍ବାଡକପ୍ଟର ହୋଇଥିବା ବିଏସଏଫ ବିବୃତ୍ତି ଜାରି କରିଛି । ଏନେଇ ବିଏସଏଫ ପଞ୍ଜାବ ଫ୍ରଣ୍ଟିୟର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବର ଟ୍ବିଟର)ରେ ପୋଷ୍ଟ କରିଛି, ''ବିଶେଷ ଗୁଇନ୍ଦା ସୂତ୍ର ସୂଚନା ଆଧାରରେ ପଞ୍ଜାବ ପୋଲିସ ଏବଂ ବିଏସଏଫ ଏକ ମିଳିତ ଅପରେସନ ଲଞ୍ଚ କରିଥିଲେ । ଏହି ଅପରେସନ ସମୟରେ ଧାନୋଇ କାଲାନ ଗାଁ ସଂଲଗ୍ନ ଗୋଟିଏ ଚାଷ ଜମିରୁ ଏକ ଡ୍ରୋନ ଉଦ୍ଧାର କରାଯାଇଛି ।'' ତେବେ ଏହି ଡ୍ରୋନ ଜବତ କରାଯିବା ପରେ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।