ଓଡିଶା

odisha

ଅମୃତସରରେ ଅନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନୀ ଡ୍ରୋନ୍‌ ଜବତ

By

Published : Jul 9, 2023, 4:22 PM IST

ଅମୃତସରରେ ଅନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନୀ ଡ୍ରୋନ୍‌ ଜବତ । ପଞ୍ଜାବ ପୋଲିସ ଓ ସୀମା ସୁରକ୍ଷା ବଳର ଯବାନ କଲେ ଜବତ । ଅଧିକ ପଢନ୍ତୁ

ଅମୃତସରରେ ଅନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନୀ ଡ୍ରୋନ ଜବତ
ଅମୃତସରରେ ଅନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନୀ ଡ୍ରୋନ ଜବତ

ଚଣ୍ଡିଗଡ:ଅମୃତସରରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଏକ ପାକିସ୍ତାନୀ ଡ୍ରୋନ୍‌ ଜବତ କରାଯାଇଛି । ପଞ୍ଜାବ ପୋଲିସ ଓ ସୀମା ସୁରକ୍ଷା ବଳର ମିଳିତ କାର୍ଯ୍ୟାନୁଷ୍ଠାନରେ ଏହି ସଫଳତା ମିଳିଛି । ଏହି ଡ୍ରୋନ୍‌ଟି ପାକିସ୍ତାନ ପଟୁ ଆସିଥିବା ପ୍ରାୟତଃ ସ୍ପଷ୍ଟ ହୋଇଥିବା ପୋଲିସ କହିଛି । ଏକ କ୍ଷେତରେ ଏହା ପଡ଼ିଥିବା ସୂଚନା ମିଳିବା ପରେ ପୋଲିସ ଓ ବିଏସଏଫ ଯବାନ ଘଟଣାସ୍ଥଳରେ ପହଞ୍ଚି ଏହାକୁ ଜବତ କରିଥିଲେ । ଏବେ ଏହାକୁ ଯାଞ୍ଚ କରାଯାଉଛି । ଏହା କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥିଲା ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନି । ଏହା ଏକ ଆତଙ୍କୀ କାର୍ଯ୍ୟକଳାପ କିମ୍ବା ସୀମାପାର ନିଶା କାରବାର ହୋଇଥିବା ନେଇ ସନ୍ଦେହ କରାଯାଉଛି ।

ପୋଲିସର ସୂଚନା ଅନୁସାରେ, ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମାର ଅମୃତସର ଜିଲ୍ଲାର ସୀମାନ୍ତ ଗ୍ରାମ କାକରରେ ଏହି ଡ୍ରୋନ୍‌ ଠାବ କରାଯାଇଛି । ଗତକାଲି ରାତିରେ ଏହି ଡ୍ରୋନ୍‌ ପାକିସ୍ତାନ ପଟୁ ଭାରତୀୟ ସୀମାରେ ପ୍ରବେଶ କରିଥିଲା । ହେଲେ କୌଣସି କାରଣବଶତଃ ଗ୍ରାମ ନିକଟବର୍ତ୍ତୀ ଏକ କ୍ଷେତରେ ଖସି ପଡ଼ିଥିବା ସନ୍ଦେହ କରାଯାଉଛି । ପାଟ୍ରୋଲିଂ ବେଳେ ସୁରକ୍ଷାବଳକୁ ଗ୍ରାମବାସୀଙ୍କ ପକ୍ଷରୁ ଏହି ସୂଚନା ମିଳିବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ଡ୍ରୋନ୍‌କୁ ଜବତ କରି ଯନ୍ତ୍ରାଂଶକୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ -: କୃତ୍ରିମ ବନ୍ୟାରେ ଭାସିଗଲେ ଦୁଇ ଯବାନ, ମୃତଦେହ ଉଦ୍ଧାର

ଅନେକ ସମୟରେ ପାକିସ୍ତାନ ଅଧିକୃତ କାଶ୍ମୀରରୁ ପଞ୍ଜାବ, କାଶ୍ମୀର ଓ ରାଜସ୍ଥାନ ପରି ସୀମାନ୍ତ ରାଜ୍ୟକୁ ଡ୍ରୋନ୍‌ ମାଧ୍ୟମରେ ନିଶାଦ୍ରବ୍ୟ ପ୍ରେରଣ କରାଯାଉଥିବାର ଏକାଧିକ ନଜିର ରହିଛି । ଅନେକ ସମୟରେ ଠାବ କରାଯାଇଥିବା ଡ୍ରୋନରୁ କିଛି ନିଶାଦ୍ରବ୍ୟ ପ୍ୟାକେଟ ମଧ୍ଯ ଠାବ କରାଯାଇଛି । ସୀମାନ୍ତ ଗ୍ରାମବାସୀଙ୍କୁ ଏହିପରି ସନ୍ଦେହଜନକ ଗତିବିଧି ଉପରେ ନଜର ରଖିବାକୁ ଓ ଏପରି ସନ୍ଦେହଜନକ ଘଟଣା ନଜରକୁ ଆସିଲେ, ତୁରନ୍ତ ପୋଲିସ କିମ୍ବା ବିଏସଏଫକୁ ସୂଚନା ଦେବାକୁ କୁହାଯାଇଛି ।

ଏହା ପୂର୍ବରୁ ଶନିବାର ପଞ୍ଜାବର ସୀମାନ୍ତ ଅଞ୍ଚଳ ତାରନତାରନରୁ ମଧ୍ୟ ଏକ ପାକିସ୍ତାନୀ ଡ୍ରୋନ୍‌ ଜବତ ହୋଇଥିଲା । ସେନା ଓ ସ୍ଥାନୀୟ ପୋଲିସର ଏକ ମିଳିତ ଟିମ୍‌ ଏହି ଡ୍ରୋନ୍‌ ଜବତ କରିଥିଲେ । ଏହା ଏକ ନିଶା କାରବାର ଚୋରାଚାଲାଣ ଉଦ୍ୟମ ହୋଇଥିବା ନେଇ ପୋଲିସ ସନ୍ଦେହ କରୁଥିଲା । ଆତଙ୍କୀ ଗତିବିଧି ଓ ନିଶାଦ୍ରବ୍ୟ ମାମଲାରେ ଏପରି ଡ୍ରୋନର ବ୍ୟବହାର କରୁଛନ୍ତି ସୀମାପାର ଆତଙ୍କୀ ଗୋଷ୍ଠୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details