ହାଇଦ୍ରାବାଦ:ଚଳିତବର୍ଷ (2022) ପଞ୍ଜାବ ସୀମାରେ ସୀମା ସୁରକ୍ଷାବଳକୁ ମିଳିଛି ସଫଳତା । 2ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ନିପାତ କରିବା ସହ ଏକାଧିକ ଅପରେସନରେ ମୋଟ 22 ଟି ସୀମାପାର ଡ୍ରୋନକୁ ମଧ୍ୟ ଜବତ କରିବାରେ ସଫଳତା ପାଇଛି ବିଏସଏଫ । ସେହିପରି କେବଳ ସେତିକି ନୁହେଁ ମୋଟ 316 କେ.ଜି ଡ୍ରଗ୍ସ ମଧ୍ଯ ଜବତ କରାଯାଇଛି (BSF killed Pak intruders in Punjab)। ଡ୍ରୋନ ମାଧ୍ୟମରେ ଅନ୍ତର୍ଜାତୀୟ ସୀମା ସଲଗ୍ନ ପଞ୍ଜାବର ସୀମାନ୍ତ ଅଞ୍ଚଳକୁ ନିଶାଦ୍ରବ୍ୟ ପଠାଯାଉଥିଲା । ପ୍ରାୟତଃ ରାତିରେ ଏହି ଚାଲାଣ ହେଉଥିବା ବେଳେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ସୁରକ୍ଷାବଳର ଯବାନମାନେ ଏକାଧିକ ଡ୍ରୋନକୁ ଗୁଳି କରି ଖସାଇ ଦେଇଥିଲେ । ସେଥିରୁ ବହୁ ପରିମାଣର ନିଶାଦ୍ରବ୍ୟ ଜବତ କରାଯାଇଥିଲା । ଚଳିତ ବର୍ଷେ ମଧ୍ୟରେ ଏହି ଜବତ ନିଶାଦ୍ରବ୍ୟ ପରିମାଣ ପ୍ରାୟ 316 କେ.ଜି ହେବା ନେଇ ସୁରକ୍ଷାବଳ ପକ୍ଷରୁ ସୂଚନା ମିଳିଛି ।
ଚଳିତ ବର୍ଷରେ ସୀମାନ୍ତ ରାଜ୍ୟ ପଞ୍ଜାବରେ ସୀମା ସୁରକ୍ଷାବଳ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ନେଇ BSF ଏକ ବିବୃତ୍ତି ଜାରି କରିଛି । ଏଥିରେ ମୋଟ 22 ଡ୍ରୋନ ଜବତ ସହ 316.988 କେଜି ନିଶାଦ୍ରବ୍ୟ, 67 ରାଇଫଲ, ପିସ୍ତଲ ସମେତ ଅନ୍ୟ କିଛି ମାରଣାସ୍ତ୍ର ଓ ପ୍ରାୟ 850 ରାଉଣ୍ଡ ଗୁଳିଗୋଳା ମଧ୍ୟ ଜବତ ହୋଇଥିବା ଦର୍ଶାଯାଇଛି । ସେହିପରି ସୀମା ପାର କରି ଭାରତୀୟ ଅଞ୍ଚଳରେ ପ୍ରବେଶ ଉଦ୍ୟମ କରୁଥିବା ଦୁଇ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ନିପାତ କରିବା ସହ ବର୍ଷବ୍ୟାପୀ ବିଭିନ୍ନ ଅପରେସନରେ ପ୍ରାୟ 23 ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛି ବିଏସଫ ।