ହାଇଦ୍ରାବାଦ: ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ନିୟୋଜିତ ହେଲା ଅତ୍ୟାଧୁନିକ ରାଡାର ସିଷ୍ଟମ ଥିବା ଡ୍ରୋନ । ସୀମା ସୁରକ୍ଷା ବଳ ପକ୍ଷରୁ ଏହି ଅତ୍ୟାଧୁନିକ ଡ୍ରୋନକୁ ଏଲଓସିରେ ନିୟୋଜିତ କରାଯାଇଛି (BSF deploys radar equipped drone)। ସୀମାରେ ଅନୁପ୍ରବେଶ ଓ ଅନ୍ୟ ସନ୍ଦେହଜନକ ଗତିବିଧି ନେଇ ଏହି ଡ୍ରୋନ ପ୍ରଭାବୀ ଭାବେ କାର୍ଯ୍ୟ କରିବା ସହ ସୂଚନା ସଂଗ୍ରହ କରିପାରିବ । ଏହି ଅତ୍ୟାଧୁନିକ ଡ୍ରୋନକୁ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କରାଯାଇଛି । ଆଜି ଏନେଇ ସୀମା ସୁରକ୍ଷା ବଳ ଏକ ଅଭ୍ୟାସ କରି ଏହାର ସଫଳ ପରୀକ୍ଷଣ ମଧ୍ୟ କରିଛି ।
ଅନୁପ୍ରବେଶ, ସୀମାପାର ଅତଙ୍କବାଦ, ସନ୍ଦେହଜନକ ଗତିବିଧି, ନିଶା କାରବାର ଓ ଅନ୍ୟ ସମସ୍ତ ଆପତ୍ତିଜନକ କାର୍ଯ୍ୟକଳାପ ଉପରେ ରୋକ ଲାଗିବାରେ ସଫଳତା ମିଳିବ । ନିୟନ୍ତ୍ରଣ ରେଖା ନିକଟରେ ଏକାଧିକ ଟନେଲ ବା ସୁଡଙ୍ଗ ପାକିସ୍ତାନ ଓ ବିଭିନ୍ନ ଆତଙ୍କୀ ସଂଗଠନ ଦ୍ବାରା ନିର୍ମାଣ ହୋଇଥିବା ଜଣାପଡିଥିଲା । ଏହି ସୁଡଙ୍ଗ ଦେଇ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିବା ସହ ନିଶାଦ୍ରବ୍ୟ ମଧ୍ୟ ଚୋରା ଚାଲାଣ କରାଯାଉଥିବାର ଅନୁମାନ କରାଯାଉଥିଲା । ଯାହାକୁ ପ୍ରତିହତ କରିବା ପାଇଁ ଏହି ରାଡାର କ୍ଷମତା ସମ୍ପନ୍ନ ଡ୍ରୋନ ପ୍ରଭାବୀ ଭାବେ କାର୍ଯ୍ୟ କରିବା ନେଇ ଭାରତୀୟ ସୀମା ସୁରକ୍ଷା ବଳ କହିଛି ।