ନୂଆଦିଲ୍ଲୀ:ସୀମା ସୁରକ୍ଷା ବଳ ତଥା ବିଏସଏଫ (BSF)ର ଅଧିକାର କ୍ଷେତ୍ର (ପରିସୀମା) ବଢାଇ ଦେଇଛନ୍ତି କେନ୍ଦ୍ର ସରକାର । ପଞ୍ଜାବ ଓ ପଶ୍ଚିମବଙ୍ଗ ସଂଲଗ୍ନ ଅନ୍ତରାଷ୍ଟ୍ରୀୟ ସୀମା ଅଞ୍ଚଳର ୫୦ କିଲୋମିଟର ପର୍ଯ୍ୟନ୍ତ ନିଜର ଗତିବିଧି ଚଳାଇପାରିବ ବିଏସଏଫ । ପୂର୍ବରୁ ଏହାର ସୀମା ୧୫ କିଲୋମିଟର ପର୍ଯ୍ୟନ୍ତ ରହିଥିଲା । ଏପଟେ ବିଏସଏଫକୁ ଅଧିକ ଶକ୍ତି ଦେବାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବିବାଦ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଜୋରଦାର ବିରୋଧ କରୁଛନ୍ତି ପଞ୍ଜାବ ଓ ପଶ୍ଚିମବଙ୍ଗ ।
ବିଏସଏଫ ଅଧିନିୟମ (BSF Act)ରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର । ଏହି ସଂଶୋଧନ ଫଳରେ ବିଏସଏଫକୁ ପଞ୍ଜାବ, ପଶ୍ଚିମବଙ୍ଗ ଓ ଆସାମରେ ଅନ୍ତରାଷ୍ଟ୍ରୀୟ ସୀମା ସଂଲଗ୍ନ ଭାରତୀୟ ଅଞ୍ଚଳର ୫୦ କିଲୋମିଟର ଭିତର ପର୍ଯ୍ୟନ୍ତ ନିଜ ଗତିବିଧି ଚଳାଇବା ତଥା କାର୍ଯ୍ୟାନୁଷ୍ଠାନ ଗ୍ରହଣର ଅଧିକାର ପ୍ରାପ୍ତ ହୋଇଛି । ପୂର୍ବରୁ ଏହି ସୀମା ୧୫ କିଲୋମିଟର ରହିଥିଲା । ଗୁଜୁରାଟକୁ ମଧ୍ୟ ଲାଗିଛି ପାକିସ୍ତାନ ସୀମା । ଏଠାରେ ଏହି ସୀମା ୮୦ କିଲୋମିଟରୁ ୫୦ କିଲୋମିଟରକୁ ହ୍ରାସ କରାଯାଇଛି । ରାଜସ୍ଥାନରେ ଅପରିବର୍ତ୍ତୀତ ରହିଛି ୫୦ କିଲୋମିଟର ସୀମା ।
୧୧ ଅକ୍ଟୋବରରେ ଏହାର ବିଜ୍ଞପ୍ତି ଜାରି କରିଥିଲେ କେନ୍ଦ୍ର ସରକାର । ବିଏସଏଫର ପାଖାପାଖି ୨.୬୫ ଲକ୍ଷ ଯବାନ ପାକିସ୍ତାନ ଓ ବାଂଲାଦେଶ ସହ ସଂଲଗ୍ନ ସୀମାରେ ପାଖାପାଖି ୬ ହଜାର ୩୦୦ରୁ ଅଧିକ ପୋଷ୍ଟରେ ମୁତୟନ ଅଛନ୍ତି ।