ଓଡିଶା

odisha

By

Published : May 21, 2023, 9:55 AM IST

ETV Bharat / bharat

ଅମୃତସରରେ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା BSF, ୨ ଦିନରେ ୪ର୍ଥ ଘଟଣା

ଅମୃତସରରେ ଆଉ ଏକ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା ବିଏସଏଫ । ଦୁଇ ଦିନରେ ଏହା ଚତୁର୍ଥ ଘଟଣା । ଅଧିକ ପଢନ୍ତୁ

ଅମୃତସରରେ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା BSF
ଅମୃତସରରେ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା BSF

ନୂଆଦିଲ୍ଲୀ:ସୁଧୁରୁନି ପାକିସ୍ତାନ । ଭାରତ ସୀମାରେ ପୁଣି ଉଡିଲା ପାକିସ୍ତାନୀ ଡ୍ରୋନ । ଗତକାଲି(ଶନିବାର) ରାତିରେ ସୀମା ସୁରକ୍ଷା ବଳ(BSF) ଯବାନ ଅମୃତସର ଠାରେ ଭାରତ ସୀମାରେ ପଶିଥିବା ଆଉ ଗୋଟିଏ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଛନ୍ତି । ଗତ ଦୁଇ ଦିନରେ ଏହା ହେଉଛି ଚତୁର୍ଥ ଘଟଣା । ଗତ ରାତିରେ ଠାବ ଡ୍ରୋନ ଦ୍ବାରା ନିଶାଦ୍ରବ୍ୟ ଚାଲାଣ କରାଯାଉଥିବା ଅନୁମାନ କରାଯାଉଛି । ଯବାନମାନେ ଡ୍ରୋନ ସହିତ ତିନୋଟି ପ୍ୟାକେଟ ଜବତ କରିଛନ୍ତି । ପ୍ୟାକେଟରେ ହେରୋଇନ ଭର୍ତ୍ତି ହୋଇଥିବା ସନ୍ଦେହ କରାଯାଉଛି । ଏନେଇ ଆଜି ବିଏସଏଫ ପକ୍ଷରୁ ସୂଚନା ଦିଆଯାଇଛି ।

ବିଏସଏଫ ବିବୃତ୍ତି ଅନୁଯାୟୀ, ଗତକାଲି ରାତି ପାଖାପାଖି ୮ଟା ୪୮ ମିନିଟ୍ ସମୟରେ ଅମୃତସର ଜିଲ୍ଲା ସ୍ଥିତ ଅନ୍ତର୍ଜାତୀୟ ବର୍ଡର ପାଖ ଧାନୋଇ କଲାନ ଗ୍ରାମ ନିକଟରେ ଡ୍ରୋନ ଉଡୁଥିବାର ଶବ୍ଦ ଶୁଣାଯାଇଥିଲା । ସେଠାରେ ମୁତୟନ ଥିବା ବିଏସଏଫ ଯବାନ ସଙ୍ଗେ ସଙ୍ଗେ ଡ୍ରୋନକୁ ଠାବ କରିବାକୁ ଚେଷ୍ଟା କରିଥିଲେ । ଏହାପରେ ଯବାନମାନେ ଡ୍ରୋନକୁ ଗୁଳି କରି ତଳକୁ ଖସାଇଥିଲେ । ସ୍ଥାନୀୟ ଅଞ୍ଚଳରେ ଛାନଭିନ୍ କରାଯିବା ପରେ ପାଖ ଚାଷଜମି ଭିତରୁ ଗୋଟିଏ ଡ୍ରୋନ ସହ ତିନୋଟି ପ୍ୟାକେଟ ଜବତ କରାଯାଇଥିଲା । ତେବେ ଏଥିରେ ହେରୋଇନ ଥିବା ନେଇ ସନ୍ଦେହ କରାଯାଉଛି । ଜବତ ସନ୍ଦିଗ୍ଧ ନିଶା ସାମଗ୍ରୀର ଓଜନ ପ୍ରାୟ ୩.୩ କିଲୋଗ୍ରାମ ହେବ ବୋଲି ବିଏସଏଫ ଜଣାଇଛି ।

ଏହାମଧ୍ୟ ପଢନ୍ତୁ : ଅମୃତସରରେ ଉଡିଲା ୨ ପାକିସ୍ତାନୀ ଡ୍ରୋନ, ଗୁଳି କରି ଖସାଇଲା BSF

ଏହାପୂର୍ବରୁ ଗତ ଶୁକ୍ରବାର ରାତିରେ ଯବାନମାନେ ପାକିସ୍ତାନ ପଟୁ ଭାରତ ଚାଲି ଆସିଥିବା ଆଉ ଦୁଇଟି ଡ୍ରୋନକୁ ଠାବ କରିଥିଲେ । ଦୁଇଟିଯାକ ଡ୍ରୋନ ଅମୃତସର ସେକ୍ଟରରେ ଭିନ୍ନ ଭିନ୍ନ ସ୍ଥାନରେ ଭାରତ ବାୟୁସୀମାରେ ପ୍ରବେଶ କରିଥିଲେ । ଡ୍ରୋନ ଶବ୍ଦ ଶୁଣିବା କ୍ଷଣି ବିଏସଏଫ ଯବାନ ତତ୍‌କ୍ଷଣାତ ତା' ଉପରକୁ ଗୁଳି କରି ଖସାଇଥିଲେ । ଅମୃତସର ସେକ୍ଟର ଧରିୱାଲ ଗ୍ରାମ ନିକଟରୁ ଠାବ କରାଯାଇଥିବା ପାକିସ୍ତାନୀ ଡ୍ରୋନ ସହ ୨.୬ କେଜି ହେରୋଇନ ଜବତ ହୋଇଥିଲା । ପୁଣିଥରେ ଡ୍ରୋନ ଦ୍ବାରା ନିଶା ଚାଲାଣ ନେଇ ପାକିସ୍ତାନର ଆଉ ଏକ ପ୍ରୟାସକୁ ବିଏସଏଫ ନିଷ୍ଫଳ କରିଦେଇଛି । ଗତ ୨ ଦିନ ମଧ୍ୟରେ ମୋଟ ୪ଟି ପାକିସ୍ତାନୀ ଡ୍ରୋନ ଭାରତ ସୀମାରେ ଠାବ କରାଗଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details