ଉତ୍ତରପ୍ରଦେଶ:"ବର ଜଣେ ଅଶିକ୍ଷିତ । ତେଣୁ ମୁଁ ବରକୁ ବିବାହ କରିପାରିବ ନାହିଁ ।" ଏଭଳି କହି ବାହା ହେବାକୁ ରୋକଠୋକ ମନା କରିଦେଲା କନିଆଁ । ଏହାକୁ ନେଇ ବରର ସମ୍ପର୍କୀୟମାନେ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି । ଉତ୍ତରପ୍ରଦେଶ ଫାରୁଖାବାଦରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଧୁମ୍ଧାମ୍ରେ ବାହାଘର ପାଇଁ ପ୍ରସ୍ତୁତ ହୋଇଥିଲେ ପୁଅ ଘର ଲୋକ । ବାଣ ରୋଷଣୀ ବଜାଇ ଝିଅ ଘରେ ପହଞ୍ଚିଲା ବର ଓ ବରଯାତ୍ରୀ । ହେଲେ ବାହାଘର ହୋଇପାରିଲାନି । କାରଣ ବାଟବରଣୀ ବେଳେ ଜଣାପଡିଗଲା ବର ଜଣକ ପୁରା ଅପାଠୁଆ ।
ଚର୍ଚ୍ଚା ସମୟରେ ଦିଆଯାଇଥିବା ମାତ୍ର ୨୧୦୦ ଟଙ୍କାକୁ ଗଣିପାରିଲାନି ବର । ଏହାପରେ ଚିହିଁକି ଉଠିଥିଲେ କନିଆଁ । ଆଉ ସିଧାସଳଖ ବାହା ହେବାକୁ ମନା କରିଦେଇଥିଲେ ବୋହୂ ବେଶରେ ସଜ ହୋଇଥିବା କନିଆଁ । ଫଳରେ ଶିଶୁପାଳ ହୋଇ ଘରକୁ ଫେରିଲା ବର । ଏହି ଘଟଣା ପରେ ଉଭୟ ବର ଓ କନିଆଁଙ୍କ ମଧ୍ୟରେ ତୁତୁ ମେଁମେଁ ଚାଲିଥିଲା । ତେବେ ଆଲୋଚନା ପରେ ବି କୌଣସି ସୁଫଳ ମିଳିନଥିଲା । ପରେ ନିଷ୍ପତ୍ତି ନିଆଯାଇଥିଲା ଯେ ବିବାହ ବାତିଲ ହେବ । ଏହା ମଧ୍ୟ ନିଷ୍ପତ୍ତି ହୋଇଛି ଯେ ଉଭୟ ପକ୍ଷରୁ ହୋଇଥିବା ଖର୍ଚ୍ଚ ବାବାଦକୁ କେହି ଭରଣା କରିବେ ନାହିଁ ।