ଓଡିଶା

odisha

ETV Bharat / bharat

ମଦ୍ୟପାନ କରି ଆସିବାରୁ ଭାଙ୍ଗିଲା ବାହାଘର, ଶିଶୁପାଳ ହୋଇ ଫେରିଲା ବର - ନିଶାଗ୍ରସ୍ତ ବରକୁ ବିବାହ ପାଇଁ କନ୍ୟା ଅରାଜି

ମଦ୍ୟପାନ କରି ବିବାହ ମଣ୍ଡପକୁ ଆସି ହଟହଟା ହେଲା ବର । ବରମାଳା ପିନ୍ଧାଇବା ବେଳେ ବେଦୀ ଉପରୁ ଉଠିଗଲା କନ୍ୟା । ଅଧିକ ପଢନ୍ତୁ

ମଦ୍ୟାପାନ କରିଥିବାରୁ ଭାଙ୍ଗିଲା ବାହାଘର
ମଦ୍ୟାପାନ କରିଥିବାରୁ ଭାଙ୍ଗିଲା ବାହାଘର

By

Published : May 22, 2023, 4:27 PM IST

ଲକ୍ଷ୍ନୌ:ବିବାହ ମଣ୍ଡପକୁ ମଦ୍ୟପାନ କରି ଆସିବା ପଡ଼ିଲା ମହଙ୍ଗା । ନିଶାସେବନ କରି ଆସିଥିବାରୁ ବିବାହ ମଣ୍ଡପରୁ ଉଠିଗଲେ କନ୍ୟା । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ବାରଣାସୀ ସ୍ଥିତ ଜଂସା ଥାନା ଅନ୍ତର୍ଗତ ହରହୁଆଁ ଅଞ୍ଚଳରେ । ବର ଜଣକ ଚୌବେପୁର ଥାନା ଅଞ୍ଚଳର ହୋଇଥିବାବେଳେ ସେ ବିବାହ ନିମନ୍ତେ ହରହୁଆଁରେ ବୁକ୍ କରାଯାଇଥିବା ଏକ ଲନ୍‌କୁ ବରଯାତ୍ରୀ ସହ ଆସିଥିଲେ ଚାଲିଥିଲା ହୋମ ଓ ମନ୍ତ୍ରପାଠ । ରୀତିନୀତି ଅନୁସାରେ ଦ୍ବାରପୂଜା ମଧ୍ୟ ଶେଷ ହୋଇଥିଲା । ପୂଜା ଶେଷ ହେବା ପରେ ବର ଜଣକ ଷ୍ଟେଜ୍ ଉପରେ ବସିଥିଲେ ।

କିଛି ସମୟ ପରେ କନ୍ୟାଙ୍କୁ ମଧ୍ୟ ସାଙ୍ଗସାଥୀଙ୍କ ସହ ଷ୍ଟେଜ୍ ଉପରକୁ ଅଣାଯାଇଥିଲା । ସେହି ସମୟରେ ନିଶାଗ୍ରସ୍ତ ଅବସ୍ଥାରେ ଥିବା ବରଙ୍କ ସାଙ୍ଗମାନେ କନ୍ୟାଙ୍କ ସାଙ୍ଗମାନଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଘଟଣାକୁ ନେଇ କନ୍ୟା ଜଣକ ସେହି ସମୟରେ କିଛି କହିନଥିଲେ ସତ । ହେଲେ ପରବର୍ତ୍ତୀ ସମୟରେ ବିବାହ ମଣ୍ଡପରେ ବର ତାଙ୍କୁ ବରମାଳା ପିନ୍ଧାଇବାବେଳେ ସେ ସେଠାରୁ ଉଠି ରୁମ୍ ଭିତରକୁ ଚାଲିଯାଇଥିଲେ । ଯାହାକି ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କୁ ଚକିତ କରିଦେଇଥିଲା । କନ୍ୟାଙ୍କ ପରିବାର ଲୋକେ କନ୍ୟାଙ୍କ ପଛେପଛେ ଯାଇ ତାଙ୍କୁ ବହୁ ବୁଝାସୁଝା କରି ବେଦୀ ଉପରକୁ ଆଣିବାକୁ ପ୍ରୟାସ କରିଥିଲେ ବି ସବୁ ଫେଲ୍ ମାରିଥିଲା ।

ମଦ୍ୟପାନ କରି ବିବାହ ମଣ୍ଡପକୁ ଆସିଥିବାର ଦେଖି କନ୍ୟା ଜଣଙ୍କ ଉତ୍‌କ୍ଷିପ୍ତ ହୋଇ ବିବାହ କରିବାକୁ ଅରାଜି ହୋଇଥିଲେ । ପରିବାର ଲୋକଙ୍କଠୁ ଆରମ୍ଭ କରି ସାଙ୍ଗ ସାଥୀଙ୍କ ପର୍ଯ୍ୟନ୍ତ ଯେତେ ବୁଝାସୁଜା କରିବା ସତ୍ତ୍ବେ ମଧ୍ୟ ସେ ଶୁଣି ନଥିଲେ । ସେ ନିଜ ଜିଦରେ ଅଟଳ ରହିଥିଲେ । ପରେ ଏହି ବିବାଦର ସମାଧାନ ପାଇଁ ପଞ୍ଚାୟତ ବସିଥିଲେ ସୁଦ୍ଧା କୌଣସି ନିଷ୍କର୍ସ ବାହାରି ପାରିନଥିଲା ।

ତେବେ କଥା ସେତିକିରେ ସରିନଥିଲା । ଯେତେବେଳେ ବରଙ୍କ ସାଙ୍ଗମାନେ ଜାଣିବାକୁ ପାଇଥିଲେ ଯେ, କନ୍ୟା ଜଣଙ୍କ ବିବାହ ପାଇଁ ଅମଙ୍ଗ ହେଉଛନ୍ତି ସେମାନେ ପୁନର୍ବାର କମେଣ୍ଟ କରିବା ଆରମ୍ଭ କରିଦେଇଥିଲେ । ସେହି ସମୟରେ ଉପସ୍ଥିତ ଥିବା ବରର ପିତା ଓ ଭାଇ ବରକୁ ଗାଡ଼ି ଭିତରକୁ ନେଇଯାଇଥିଲେ । ଆଉ କନ୍ୟା ପକ୍ଷ ଲୋକେ ଝିଅକୁ ବୁଝାସୁଝା କରିବାରେ ପ୍ରୟାସ ଜାରି ରଖିଥିଲେ । ଏପରିକି ଭୋର ୪ଟା ୩୦ ପର୍ଯ୍ୟନ୍ତ ପଞ୍ଚାୟତ ବସିଥିଲେ ବି ବରକୁ ବାହାନହେବା ଜିଦରେ ଅଡ଼ିବସିଥିଲେ କନ୍ୟା ।

ସୂଚନା ଅନୁସାରେ ବାହାଘର ଠିକ୍ ହେବାର କିଛି ଦିନ ପରେ ଉଭୟେ ଫୋନ୍ ମାଧ୍ୟମରେ କଥା ହେଉଥିଲେ । ବାର୍ତ୍ତାଳାପ ସମୟରେ ଯୁବକ ଜଣକ ନିଶାଗ୍ରସ୍ତ ଅବସ୍ଥାରେ ଝିଅକୁ ଅଶାଳୀନ କଥା କହିଥିଲା । ଯେଉଁଥିପାଇଁ ସେଠାରେ ବିବାହ କରିବାକୁ ଅରାଜି ଥିଲା ଝିଅ । ପରେ ପୁଅ ନିଜର ଭୁଲ ସ୍ବୀକାର କରିବାରୁ ଝିଅ ରାଜି ହୋଇଥିଲା । କିନ୍ତୁ ବିବାହ ମଣ୍ଡପରେ ବର ବେଶରେ ପୁନର୍ବାର ନିଶା ସେବନ କରି ସାଙ୍ଗମାନଙ୍କ ସହ ଆସିବା କଥାକୁ ସହଜରେ ଗ୍ରହଣ କରିନପାରି ବିବାହ ମଣ୍ଡପରୁ ଅଧାରୁ ଉଠିଯାଇଥିଲେ କନ୍ୟା ଜଣକ । ସେ କହିଥିଲେ, "ବିଷ ପିଇ ଦେବି ପଛେ ଏଠାରେ ବିବାହ କରିବି ନାହିଁ ।"

ଶେଷରେ ଉଭୟ ପକ୍ଷରୁ ବିବାହ ପାଇଁ ଜିନିଷପତ୍ର ଦିଆନିଆ ବାବଦକୁ ହୋଇଥିବା ଖର୍ଚ୍ଚ ଉପରେ ଆଲୋଚନା କରାଯାଇ ବୁଝାସୁଝା କରାଗଲା । ଏଭଳି ହଙ୍ଗାମା ପରେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ସେଠାରେ ପହଞ୍ଚିଥିଲା । ଆଉ ପରିଶେଷରେ ଅପଦସ୍ତ ହୋଇ ବରଯାତ୍ରୀଙ୍କୁ ସାଙ୍ଗରେ ଧରି ଶିଶୁପାଳ ହୋଇ ଫେରିଥିଲା ବର । ନିଶା ସେବନ ଯୋଗୁଁ ବର ଜଣକ ହଟହଟା ହେବାର ଏହି ଖବର ଏବେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ABOUT THE AUTHOR

...view details