ଲକ୍ଷ୍ନୌ:ସାଧାରଣତଃ ବିବାହ ଭଳି ଖୁସିର ମୁହୂର୍ତ୍ତର ସେଲିବ୍ରେସନ ପାଇଁ ବାଣ, ରୋଷଣି ଓ ବାଜାର ବ୍ୟବହାର ହୁଏ । ହେଲେ ଏଠାରେ ନବବଧୂ ଜଣକ ବିବାହ ଉତ୍ସବର ସେଲିବ୍ରେସନ ବାଣ ବଦଳରେ ଗୁଳିରେ କରିଛନ୍ତି । ଷ୍ଟେଜରେ ବନ୍ଧୁକକୁ ଉପରକୁ କରି ୪ ରାଉଣ୍ଡ ଗୁଳି ଚାଳନା କରିଛନ୍ତି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘରେ ପହଞ୍ଚିଛି ପୋଲିସ । ଏଭଳି ଘଟଣା ଉତ୍ତରପ୍ରଦେଶ ସାଲେମପୁର ଗ୍ରାମରେ ଦେଖିବାକୁ ମିଳିଛି ।
ଗତ ଶୁକ୍ରବାର ରାତିରେ ହାଥ୍ରସ ଜଙ୍କସନ ଅଞ୍ଚଳର ସାଲେମପୁର ଗ୍ରାମରେ ଘଟିଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ନବବଧୂ ଜଣକ ଷ୍ଟେଜରେ ସୋଫା ଉପରେ ବସିଛନ୍ତି । ଆଉ ତାଙ୍କ ପାଖର ବର ମଧ୍ୟ ବସିଛି । ବରମାଳ ପରେ ଉଭୟ ନବଦମ୍ପତି ଉପସ୍ଥିତ ଅତିଥି ଓ ଗୁରୁଜନଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଛନ୍ତି । ଏହାପରେ କଳା ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତି ନବବଧୂ ନିକଟକୁ ଆସି ତାଙ୍କ ହାତରେ ଏକ ବନ୍ଧୁକ ଧରାଇଛି । ଆଉ ଗୁଳି ଚଳାଇବା ପାଇଁ କହିଛି । ଏହାପରେ ଯୁବତୀ ଜଣକ ହାତ ଉପରକୁ ଟେକି ଖୋଲା ଆକାଶରେ ୪ ରାଉଣ୍ଡ ଗୁଳି ଚଳାଇଛନ୍ତି ।
ଏହା ବି ପଢନ୍ତୁ-ଜେନେରାଲ ଟିକେଟରେ ଏସିରେ ଯାତ୍ରା କରୁଥିଲେ, ଆପଣ ନକହିବାରୁ ନିର୍ଦ୍ଧୁମ ଛେଚିଲେ ଟିଟିଇ
ଯୁବତୀ ଜଣକ ଏପରି କରୁଥିବା ସମୟରେ ସାମାନ୍ୟ ଭୟଭୀତ ଥିବା ମଧ୍ୟ ଦେଖିବାକୁ ମିଳିଛି । ନବବଧୂ ଏପରି ଗୁଳି ଚଳାଉଥିବା ବେଳେ ତାଙ୍କ ପାଖରେ ବସିଥିବା ବରର ସେପରି କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ଏହି ଭିଡିଓଟି ଭାଇରାଲ ହେବା ପରେ ପୋଲିସ ଘଟଣା ସମ୍ପର୍କରେ ଜାଣିବାକୁ ପାଇଛି । ଗଣମାଧ୍ୟମକୁ ଏ ନେଇ ପ୍ରତିକ୍ରିୟା ଦେଇ ହାଥ୍ରସ୍ ASP ଅଶୋକ କୁମାର ସିଂ କହିଛନ୍ତି ଯେ ଏନେଇ ଏକ ମାମଲା ରୁଜୁ ହୋଇଛି । ଆଗକୁ ତଦନ୍ତ ପ୍ରକ୍ରିୟାରେ ପରିବାରର ସଦସ୍ୟଙ୍କୁ ପଚରାଉଚରା ପାଇଁ ପୋଲିସ ଷ୍ଟେସନକୁ ଡକାଯିବ ।
ନବବଧୂଙ୍କୁ ବନ୍ଧୁକ ଧରାଇଥିବା ଯୁବକଙ୍କ ପରିଚୟ ମିଳିନଥିବା ବେଳେ ଏନେଇ ତଦନ୍ତ କରୁଛି ପୋଲିସ । ତେବେ ଉତ୍ତର ଭାରତ ଅଞ୍ଚଳରେ ବିବାହ ଉତ୍ସବରେ ଫାୟାରିଂ କରି ସେଲିବ୍ରେସନ କରିବା ସାଧାରଣ କଥା । ହେଲେ ଏଭଳି ଗୁଳିକାଣ୍ଡ ଯୋଗୁଁ ଅନେକ ଆହତ ଓ ମୃତ୍ୟୁର ଶିକାର ହେବା ପରେ ପୋଲିସ ଏହା ଉପରେ ପ୍ରତିବନ୍ଧକ ଲଗାଇଛି । ଡିସେମ୍ବର ୨୦୧୯ରେ ଆର୍ମ୍ସ ଆକ୍ଟରେ ଏହାକୁ ଅପରାଧିକ କାର୍ଯ୍ୟ ବୋଲି ଦର୍ଶାଯାଇଛି । ଏପରି ଅପରାଧ ଯିଏ କରିବ ତା' ବିରୋଧରେ ଦଣ୍ଡବିଧାନ ସ୍ବରୂପ ୧ ଲକ୍ଷ ଟଙ୍କା ଜୋରିମାନା ସହ ୨ବର୍ଷ ଜେଲ କାରାଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିବ ।