ଲକ୍ଷ୍ନୌ:ବିବାହ ମଣ୍ଡପରୁ ପ୍ରେମିକ ସହ ଫେରାର ହେଲା କନ୍ୟା । ବର ଜଣକ ଏହି ଖବର ଶୁଣିବା ପରେ ଲଜ୍ଜାରେ ଜୀବନ ହାରିବାକୁ ଉଦ୍ୟମ କରିଥିବା ଜଣାପଡିଛି । ଗରୁୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ନିକଟସ୍ଥ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ଲକ୍ଷ୍ନୌ ଟ୍ରମା ସେଣ୍ଟରକୁ ରେଫର୍ କରିଛନ୍ତି ଡାକ୍ତର । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ କୋତୱାଲୀ ଥାନା ଅଞ୍ଚଳରେ । ସେହି ଅଞ୍ଚଳର ଅଜୟ କୁମାର ନାମକ ଜଣେ ଯୁବକଙ୍କ ବିବାହ ନିକଟବର୍ତ୍ତୀ ଗାଁର ଜଣେ ଯୁବତୀଙ୍କ ସହ ଗତ 28 ତାରିଖ ଦିନ ସ୍ଥିର ହୋଇଥିଲା । ଏଥିପାଇଁ ଉଭୟ ବରପକ୍ଷ ଏବଂ କନ୍ୟା ପକ୍ଷ ଲୋକେ ବେଶ ଖୁସି ଥିବାବେଳେ ବିବାହ ପାଇଁ ସମସ୍ତ ଆୟୋଜନ ଖୁବ ଧୁମଧାମରେ କରାଯାଇଥିଲା ।
ବାଜା, ବାଣ, ରୋଶଣୀରେ ବରଯାତ୍ରୀଙ୍କୁ ସାଥୀରେ ନେଇ କନ୍ୟା ଘରେ ପହଞ୍ଚିଥିଲା ବର । ହେଲେ ବରମାଳା ପିନ୍ଧାଇବା ପୂର୍ବରୁ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ଅଜୟ ବର ବେଶରେ ସେଠାରେ ପହଞ୍ଚିବା ପରେ ତାଙ୍କୁ କନ୍ୟା ପକ୍ଷ ଲୋକେ ସ୍ବାଗତ କରିଥିଲେ । ପରେ ବେଦୀ ଉପରେ ପରମ୍ପରା ଅନୁସାରେ ସମସ୍ତ ରୀତିନୀତି ମଧ୍ୟ ସମ୍ପନ୍ନ କରଯାଇଥିଲା । ଏହାପରେ ବରମାଳା ପିନ୍ଧାଇବାର ସମୟ ଆସିଥିଲା । ସେହି ସମୟରେ କନ୍ୟାଙ୍କୁ ଖୋଜା ପଡିଥିବାବେଳେ କନ୍ୟା ଜଣକ ଫେରାର ଥିବା ଜଣାପଡିଥିଲା । ଆଉ ଏହି କଥା ପ୍ରଘଟ ହେବା ପରେ ଏହାକୁ ଗ୍ରହଣ ନକରିପାରି ମର୍ମାହତ ହୋଇପଡିଥିଲେ ଅଜୟ । ଶିଶୁପାଳ ହୋଇ ଫେରିବା ଘଟଣାକୁ ଗ୍ରହଣ କରିନପାରି ଶେଷରେ ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ ।