ଲକ୍ଷ୍ନୌ: ଗୋରଖପୁର-ଲକ୍ଷ୍ନୌ ବନ୍ଦେ ଭାରତର ଶୁଭାରମ୍ଭ କଲେ ଉତ୍ତରପ୍ରଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ ଉତ୍ତରପ୍ରଦେଶକୁ ମିଳିଲା ଦ୍ବିତୀୟ ବନ୍ଦେ ଭାରତ । ଏହା ପୂର୍ବରୁ ବାରଣାସୀ ଓ ଦିଲ୍ଲୀ ମଧ୍ୟରେ ବନ୍ଦେ ଭାରତ ଟ୍ରେନ ସେବା ଆରମ୍ଭ ହୋଇଥିଲା । ଆଜି ଖାସ କଥା ହେଉଛି ଗୋରଖପୁରରେ ପ୍ରବଳ ବର୍ଷା ସତ୍ତ୍ବେ ବନ୍ଦେ ଭାରତର ସ୍ବାଗତ କରିବା ଲାଗି ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା ।
ଗୋରଖପୁର ଷ୍ଟେସନର ପ୍ଲାଟଫର୍ମ ନମ୍ବର-1ରେ ଟ୍ରେନ ପହଞ୍ଚିବା ପୂର୍ବରୁ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । ହେଲେ ରାସ୍ତାକଡ଼ରେ, ଫ୍ଲାଏଓଭର ଓ ବାଲକୋନିରେ ଲୋକେ ବନ୍ଦେ ଭାରତକୁ ସ୍ବାଗତ ଲାଗି ଏକତ୍ରିତ ହୋଇଥିଲେ । ଟ୍ରେନ ଲକ୍ଷ୍ନୌ ଅଭିମୁଖେ ବାହାରିଥିବା ବେଳେ ଅଯୋଧ୍ୟା ସମେତ 7ଟି ଷ୍ଟେସନ ନିକଟରେ ଅଟକିଥିଲା । ଏହି ସମୟରେ କୌତୁହଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ଲାଟଫର୍ମରେ ଟ୍ରେନ ରହିବା ମାତ୍ରେ କିଛି ଯୁବପୀଢି ନିଜ ନିଜର ପରଫେକ୍ଟ ସେଲ୍ଫି ନେବା ଲାଗି ପୋଜ୍ ଦେବା ଆରମ୍ଭ କରିଥିଲେ । ଏହାସହିତ 'ବନ୍ଦେ ମାତରମ' ଓ 'ଭାରତ ମାତା କି ଜୟ' ନାରା ଦେଇଥିଲେ ଯାତ୍ରୀ । କିଛି ଷ୍ଟେସନରେ ପାରମ୍ପରିକ ବେଶଭୂଷା ଓ ବାଦ୍ୟ ସହିତ କିଛି ନୃତ୍ୟ ଶିଳ୍ପୀ ବନ୍ଦେ ଭାରତକୁ ସ୍ବାଗତ କରିଥିଲେ ।