ନୂଆଦିଲ୍ଲୀ:କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ଐତିହାସିକ ବିଜୟ ପରେ ଦଳ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଲଢେଇ ବୋଲି କହିଛି । ରାଜ୍ୟରେ ଫଳାଫଳ ଏହା ପ୍ରମାଣିତ କରିଛି ଯେ, ମୋଦି ମ୍ୟାଜିକ ଫେଲ ମାରିଛି ଓ ବ୍ରାଣ୍ଡ ରାହୁଲ ସଫଳ ହୋଇଛି ବୋଲି କହିଛି କଂଗ୍ରେସ । ଦଳର ସୋସିଆଲ ମିଡିଆ ମୁଖ୍ୟ ସୁପ୍ରିୟା ଶ୍ରୀନାତେ କହିଛନ୍ତି, ରାଜ୍ୟରେ ଜନାଦେଶ ଏହା ପ୍ରମାଣିତ କରିଛି ଯେ, ମୋଦି ମ୍ୟାଜିକ ଫେଲ୍ ମାରିଛି । ଯଦି କେହି ଭାବୁଥାନ୍ତି ଆଗକୁ ହେବାକୁ ଥିବା ନିର୍ବାଚନରେ ମୋଦି ମ୍ୟାଜିକ୍ କାମ କରିବ ଓ ସେମାନେ ନିର୍ବାଚନ ଜିତିବେ, ତାହା ଭୁଲ । ଆଗକୁ ସେପରି ହେବାକୁ ଯାଉନାହିଁ । କର୍ଣ୍ଣାଟକ ଫଳାଫଳରେ ରାହୁଲ ଗାନ୍ଧୀଙ୍କ ଷ୍ଟ୍ରାଇକ ରେଟ ପ୍ରାୟ 80 ପ୍ରତିଶତ ରହିଛି । ତାଙ୍କ ତୂଳନାରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କର ମାତ୍ର 40 ପ୍ରତିଶତ ରହିଛି । ଏଥିରୁ ସ୍ପଷ୍ଟ ଯେ, ‘ମୋଦି ମ୍ୟାଜିକ୍’କୁ ‘ବ୍ରାଣ୍ଡ ରାହୁଲ’ ପରାସ୍ତ କରିଛି ବୋଲି ସୁପ୍ରିୟା କହିଛନ୍ତି ।
ଆହୁରି ମଧ୍ୟ ସେ କହିଛନ୍ତି, "କର୍ଣ୍ଣାଟକ ଫଳାଫଳ ଅତି ଗୁରୁତ୍ବପୂର୍ଣ୍ଣ । କାରଣ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଶେଷ ହେବା ଓ ତାଙ୍କ ସଭ୍ୟ ପଦ ରଦ୍ଦ ହେବା ପରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଛି ।ରାହୁଲ ତାଙ୍କ ଭାରତ ଯୋଡୋ ଯାତ୍ରାରେ କର୍ଣ୍ଣାଟକରେ ମୋଟ 51 ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ । ସେଥିମଧ୍ୟରୁ ବିଜେପି ମାତ୍ର 4ଟାରେ ବିଜୟ ଲାଭ କରିବାରେ ସଫଳ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟବ୍ୟାପୀ ଦଳ ପାଇଁ ପ୍ରଚାର କଲେ, ହେଲେ ଦଳ ଗତଥର ଅପେକ୍ଷା 25 ସିଟ୍ରେ ପରାଜିତ ହେଲା । ଏହି ଫଳାଫଳରୁ ସ୍ପଷ୍ଟ ଯେ, ମୋଦିଙ୍କଠାରୁ ରାହୁଲଙ୍କ ପ୍ରତି ରାଜ୍ୟରେ ଜନ ସମର୍ଥନ ବଢିବାରେ ଲାଗିଛି । କର୍ଣ୍ଣାଟକବାସୀ ଏହ ସ୍ପଷ୍ଟ ବାର୍ତ୍ତା ଦେଉଛନ୍ତି ଯେ, ସେମାନେ ରାହୁଲ ଗାନ୍ଧୀଙ୍କ ସହ ରହିଛନ୍ତି । ଯେଉଁ ଏକଛତ୍ରବାଦୀ ମାନେ ଭାବୁଛନ୍ତି, ସେମାନେ ଅତି ସହଜରେ କାହାର ସଦସ୍ୟତା ରଦ୍ଦ କରିପାରିବେ, ଲୋକେ ସେମାନଙ୍କୁ ଉଚିତ ଜବାବ ଦେଇଛନ୍ତି ।"