ରାଞ୍ଚି: ଝାଡଖଣ୍ଡ ଦୁମ୍କାରେ ଅଙ୍କିତା ହତ୍ୟାକାଣ୍ଡର ପୁନରାବୃତ୍ତି । ବିବାହ ପାଇଁ ଅରାଜି ହେବାରୁ ପ୍ରେମିକା ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ବିବାହିତ ପ୍ରେମିକ(Boyfriend burnt girlfriend in Dumka) । ଦୁମ୍କା ଅଙ୍କିତା ମୃତ୍ୟୁ ଘଟଣା ମନରୁ ଲିଭି ନଥିବା ବେଳେ ଏବେ ଏଠାରେ ପୁଣି ସମାନ କାଣ୍ଡ ଘଟିଛି । ଗୁରୁବାର ରାତିରେ ଦୁମକା ଜିଲ୍ଲା ଜରମୁଣ୍ଡ ଥାନା ଭାଲକୀ ଗାଁରେ ମାରୁତି କୁମାରୀ ନାମକ ଯୁବତୀଙ୍କୁ ତାଙ୍କର ପ୍ରେମିକ ଜୀଅନ୍ତା ଜାଳି ଦେଇଛି । ଗୁରୁତର ଅବସ୍ଥାରେ ପ୍ରଥମେ ପୀଡିତାଙ୍କୁ ଝାନୋ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ରିମ୍ସ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁଯାୟୀ, ୨୦୧୯ରୁ ରାଜେଶ ରାଉତ ନାମକ ଯୁବକଙ୍କ ସହ ମାରୁତି କୁମାରୀଙ୍କ ପ୍ରେମ ସମ୍ପର୍କ ରହିଥିଲା । କିନ୍ତୁ ଗତ ଫେବୃୟାରୀରେ ରାଜେଶର ଅନ୍ୟତ୍ର ବିବାହ ହୋଇଯାଇଥିଲା । ଏପଟେ ମାରୁତିଙ୍କ ପରିବାର ଲୋକେ ମଧ୍ୟ ତାଙ୍କ ବିବାହ ପାଇଁ ବର ଖୋଜିବା ଆରମ୍ଭ କରିଥିଲେ । ଏ ସମ୍ପର୍କରେ ଜାଣିବା ପରେ ରାଜେଶ ପ୍ରେମିକାକୁ ଧମକ ଦେଇଥିଲା ଯେ, ଯଦି ମୋତେ ବାହା ନ ହୁଅ ତେବେ ଅଙ୍କିତା ଭଳି ତମକୁ ମଧ୍ୟ ଜଳାଇ ମାରିଦେବି । ଶେଷରେ ସେଇୟା ହିଁ ହୋଇଛି ।