ନୂଆଦିଲ୍ଲୀ:ଆସନ୍ତାକାଲି ବେଙ୍ଗାଲୁରୁରେ ବିରୋଧୀଙ୍କ ଦ୍ବିତୀୟ ମହାମେଳି ପୂର୍ବରୁ ଆଜି ଦିଲ୍ଲୀ ପ୍ରଶାସନିକ ଅଧ୍ୟାଦେଶ ପ୍ରସଙ୍ଗରେ କଂଗ୍ରେସ ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଏହି କେନ୍ଦ୍ରୀୟ ଅଧ୍ୟାଦେଶକୁ ଦଳ ସମର୍ଥନ କରିବନାହିଁ ବୋଲି ସ୍ପଷ୍ଟ କରିଛି । ଦୀର୍ଘ ଦିନ ଧରି କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ତିକ୍ତତା ଲାଗି ରହିଥିଲା । ଏବେ କଂଗ୍ରେସର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି ଆପ୍ । ତେବେ ଏହି କ୍ରମବିକାଶରେ ଆସନ୍ତାକାଲି ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ମହାମେଳିରେ ଆମ ଆଦମୀ ପାର୍ଟି ସାମିଲ ହେବା ନେଇ ସମ୍ଭାବନା ବଢ଼ିଥିଲେ ସୁଦ୍ଧା ହେଲେ ଦଳ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ ।
ଆଜି କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲ ଏହି ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ଜାତୀୟ ଖବର ସରବରାହ ସଂସ୍ଥା PTIକୁ ପ୍ରତିକ୍ରିୟା ଦେଇ ବେଣୁଗୋପାଲ କହିଥିଲେ, "ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ସ୍ପଷ୍ଟ । ଦିଲ୍ଲୀ ପ୍ରଶାସନିକ ନିୟନ୍ତ୍ରଣ ମାମଲାରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ କଂଗ୍ରେସ ବିରୋଧ କରିବ । ବିରୋଧୀ ଦଳମାନେ ଶାସନରେ ଥିବା ରାଜ୍ୟରେ ଭାରତୀୟ ଜନତା ପାର୍ଟି ରାଜ୍ୟପାଳଙ୍କ ଦ୍ବାରା ହସ୍ତକ୍ଷେପ ଜାରି ରଖିଛି । ଏହି ଦିଲ୍ଲୀ ଅଧ୍ୟାଦେଶ ଚଳିତ ଅଧିବଶନରେ ଗୃହରେ ଆଗତ ହେବା ପରେ କଂଗ୍ରେସ ଏହାକୁ ବିରୋଧ କରିବ ।"
ଏହା ମଧ୍ୟ ପଢନ୍ତୁ:-Delhi Ordinance: କେନ୍ଦ୍ର ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ଦିଲ୍ଲୀ ସରକାର
ଆହୁରି ମଧ୍ୟ ସେ କହିଥିଲେ "ଗତକାଲି ଦଳ ଏହି ନିଷ୍ପତ୍ତି ଗ୍ରହଣ କରିଛି । ଦେଶର ସଙ୍ଘୀୟ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇବା ତଥା ରାଜ୍ୟପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବାରେ ଆମେ କୌଣସି ପ୍ରୟାସକୁ ସମର୍ଥନ କରିବୁ ନାହିଁ । ଦିଲ୍ଲୀ ଅଧ୍ୟାଦେଶକୁ ଆମେ ଗୃହରେ ବିରୋଧ କରିବୁ ।" କଂଗ୍ରେସର ଏହି ସ୍ପଷ୍ଟୀକରଣ ପରେ ଏହାକୁ ସ୍ବାଗତଯୋଗ୍ୟ ବୋଲି ଆମ ଆଦମୀ ପାର୍ଟି କହିଛି । ବେଣୁଗୋପାଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି AAP ସାଂସଦ ତଥା ଜାତୀୟ ମୁଖପାତ୍ର ରାଘବ ଚଡ୍ଡା ଟୁଇଟ୍ କରି କହିଛନ୍ତି, "ଦିଲ୍ଲୀ ଅଧ୍ୟାଦେଶକୁ କଂଗ୍ରେସ ସ୍ପଷ୍ଟ ବିରୋଧ କରିଛି । ଏହା ଏକ ସକରାତ୍ମକ ବିକାଶ ।"
ଏହା ମଧ୍ୟ ପଢନ୍ତୁ:- Opposition meet in Bengaluru: ଏଥର ବଢିବ ସଂଖ୍ୟା, ଅଂଶଗ୍ରହଣ କରିବେ 24 ବିରୋଧୀ ଦଳ
ବିରୋଧୀ ଏକତାରେ ଆମ ଆଦମୀ ପାର୍ଟି ପୂର୍ବରୁ ଥିବା ବେଳେ ଏହି ପ୍ରସଙ୍ଗରେ କଂଗ୍ରେସ ସମର୍ଥନ ନଦେବା କାରଣରୁ AAP ବିରୋଧୀ ମେଳିରୁ ମଧ୍ୟ ପୃଥକ ନଜର ଆସିଥିଲା । ଅନ୍ୟ ବିରୋଧୀ ଦଳମାନେ ଏହି ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କୁ ସମର୍ଥନ ଦେଇସାରିଥିବା ବେଳେ କଂଗ୍ରେସ ସମର୍ଥନ ନଦେଲେ ଆପ ବିରୋଧୀ ମେଳିରେ ସାମିଲ ହେବ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲା । ଏବେ ବେଙ୍ଗାଲୁରୁରେ ଆସନ୍ତାକାଲି(ସୋମବାର) ବିରୋଧୀଙ୍କ ଦିତ୍ବୀୟ ମହାମେଳି ପୂର୍ବରୁ କଂଗ୍ରେସ ଏହି ବିଲ୍କୁ ବିରୋଧ କରିବା ନେଇ ସ୍ପଷ୍ଟ କରିଛି । ଆମ ଆଦମୀ ପାର୍ଟି ଆସନ୍ତାକାଲି ବିରୋଧୀ ମହାମେଳିରେ ସାମିଲ ହେବା ଆଶା ବଢ଼ିଥିବା ବେଳେ ଦଳ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନାହିଁ । ହେଲେ ବିରୋଧୀମାନେ ବୈଠକ ପାଇଁ ପ୍ରସ୍ତୁତି ଶେଷ କରିସାରିଥିବା ବେଳେ ଏହି ପ୍ରସଙ୍ଗରେ ସନ୍ଧ୍ୟା ସୁଦ୍ଧା AAP ମଧ୍ୟ ନିଷ୍ପତ୍ତି ସ୍ପଷ୍ଟ କରିପାରେ । ଯାହା ଉପରେ ସମସ୍ତଙ୍କ ନଜର ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ