ନୂଆଦିଲ୍ଲୀ:ଖଲିସ୍ତାନୀ ଆତଙ୍କୀ ହରଦ୍ବୀପ ସିଂ ନିଜ୍ଜର ହତ୍ୟା ପଛରେ ଭାରତର ଭୂମିକା ଥିବା କାନାଡା ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପରେ ଭାରତ-କାନାଡାର ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଛି । କାନାଡାର ଶିଖ୍ ଗାୟକ ଶୁଭନୀତ୍ ସିଂଙ୍କ ମୁମ୍ବାଇରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ବାତିଲ କରିଛି ‘ବୁକ ମାଇ ଶୋ’ । ମୁମ୍ବାଇରେ ଏହି ଶୋ ହେବାର ଥିଲା । ଏହି ଗାୟକଙ୍କର ଖଲିସ୍ତାନୀ ସମର୍ଥନ ମଧ୍ୟ ରହିଛି । ତେଣୁ ତାଙ୍କ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ‘ବୁକ ମାଇ ଶୋ’ ଟ୍ବିଟ ଯୋଗେ ସ୍ପଷ୍ଟ କରିଛି । କାର୍ଯ୍ୟକ୍ରମ ପାଇଁ ବୁକିଂ ହୋଇଥିବା ଟିକେଟ୍ ମଧ୍ୟ କ୍ୟାନସଲ କରାଯାଇଛି ଓ ରିଫଣ୍ଡ କରାଯାଉଥିବା ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଟିକେଟ୍ ବୁକ କରିଥିବା ସମସ୍ତ ଦର୍ଶକଙ୍କୁ 5 ରୁ 10ଦିନ ମଧ୍ୟରେ ଟିକେଟର ପୁରା ମୂଲ୍ୟ ରିଫଣ୍ଡ କରାଯିବା ନେଇ ‘ବୁକ ମାଇ ଶୋ’ କହିଛି ।
ଏକ୍ସରେ ଟ୍ବିଟ କରି ବୁକ ମାଇ ଶୋ କହିଛି, ‘‘ଭାରତରେ ହେବାକୁ ଥିବା କାନାଡାର ପଞ୍ଜାବୀ ଗାୟକ ଶୁଭନୀତ୍ ସିଂଙ୍କ ‘ଷ୍ଟିଲ୍ ରୋଲିନ୍’ ଇଭେଣ୍ଟ ବାତିଲ କରାଯାଇଛି । ଏଥିପାଇଁ ପାଇଁ ଟିକେଟ୍ କିଣିଥିବା ସମସ୍ତ ଗ୍ରାହକଙ୍କ ପାଇଁ ଟିକେଟ୍ ରାଶି ପୂର୍ଣ୍ଣ ଫେରସ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି । 7-10 ଦିନ ମଧ୍ୟରେ ଗ୍ରାହକଙ୍କ ଟିକେଟ ବୁକିଂ ରାଶି ସେମାନଙ୍କୁ ଆକାଉଣ୍ଟକୁ ରିଫଣ୍ଡ କରାଯିବ ।’’
ସାମାଜିକ ଗଣମାଧ୍ୟମରେ ଖଲିସ୍ତାନୀ ଆନ୍ଦୋଳନ ସମର୍ଥିତ ଆଭିମୁଖ୍ଯ ଓ ପୋଷ୍ଟ ପାଇଁ ନିକଟରେ ବିବାଦ ଘେରକୁ ଆସିଥିଲେ ଗାୟକ ଶୁଭନିତ । ତାଙ୍କ କାର୍ଯ୍ୟକ୍ରମର ପ୍ରାୟୋଜକ ଭାବେ ଥିବା ଭାରତୀୟ କମ୍ପାନୀ ‘ବୋଟ’ ନିଜ ସ୍ପନସରସିପ୍ ପ୍ରତ୍ୟାହାର ଘୋଷଣା କରିଥିଲା । ସେହିପରି ଅନ୍ତର୍ଜାତୀୟ କ୍ରିକେଟର ବିରାଟ କୋହଲି ମଧ୍ୟ ଗାୟକ ଶୁଭନିତଙ୍କୁ ଇନଷ୍ଟାଗ୍ରାମରୁ ଅନଫଲୋ କରିଦେଇଥିଲେ । ଏବେ ଏହି ଗାୟକଙ୍କର ଏକ କାର୍ଯ୍ୟକ୍ରମ ମୁମ୍ବାଇରେ ହେବାକୁ ଥିଲା । ଭାରତୀୟ ଜନତା ପାର୍ଟି ଯୁବଶାଖା ଏହାକୁ ବିରୋଧ କରିବା ନେଇ ପୂର୍ବରୁ ଘୋଷଣା କରିଥିଲା । ଗାୟକ ଶୁଭନିତଙ୍କ ଖଲିସ୍ତାନୀ ସମର୍ଥିତ ଓ ଭାରତ ବିରୋଧୀ ପୋଷ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁମ୍ବାଇ ପୋଲିସକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଆଜି ଏହାରି ମଧ୍ୟରେ ‘ବୁକ ମାଇ ଶୋ’ ଶୁଭନିତଙ୍କ କାର୍ଯ୍ୟକ୍ରମକୁ ବାତିଲ କରିଛି ।