ନୂଆଦିଲ୍ଲୀ:ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କ ଜାମିନ ଅବଧି ବୃଦ୍ଧି । ୨୦୦ କୋଟି ଟଙ୍କା ଅର୍ଥ ହେରଫେର ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ହୋଇଛି । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କ ଅନ୍ତରୀଣ ଜାମିନ ଅବଧିକୁ ନଭେମ୍ବର ୧୫ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ସେହିଦିନ ହି ଜ୍ୟାକ୍ଲିନ୍ଙ୍କ ପୂର୍ଣ୍ଣକାଳୀନ ଜାମିନ ଆବେଦନକୁ ନେଇ ଶୁଣାଣି କରିବେ କୋର୍ଟ ।
ବସୁଲି ମାମଲାରେ ଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ଏହାପରେ ସୁକେଶ ୨୦୦ କୋଟି ଟଙ୍କା ଅର୍ଥ ହେରଫେର୍ କରିଥିବା ସାମ୍ନାକୁ ଆସିଥିଲା । ଇଡି ସୁକେଶଙ୍କୁ ଗିରଫ କରି ଜେଲ୍ ପଠାଇଛି । ତେବେ ସୁକେଶଙ୍କ ବସୁଲି ମାମଲାରେ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ ସାମିଲ ଥିବା ଅଭିଯୋଗ ରହିଛି । ଏହାକୁ ନେଇ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଶୁଣାଣି ହେଉଥିବା ବେଳେ ବର୍ତ୍ତମାନ ଅନ୍ତରୀଣ ଜାମିନରେ ଅଛନ୍ତି ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ ।
ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ ଓ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଥିଲା । ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ବହୁ ଦାମୀ ଉପହାର ପ୍ରଦାନ କରିଛନ୍ତି ଠକ ସୁକେଶ ଚନ୍ଦ୍ରଶେଖର । ଏଥିରେ ବହୁ ଲଗ୍ଜୁରୀ ଜିନିଷ ସାମିଲ ରହିଛି । ବର୍ତ୍ତମାନ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ନାମରେ ବିଭିନ୍ନ ତଦନ୍ତକାରୀ ସଂସ୍ଥାରେ ୩୦ରୁ ଅଧିକ ମାମଲା ରୁଜୁ ହୋଇଛି । ଜଣେ ବିତ୍ତଶାଳୀ ବ୍ୟବସାୟୀଙ୍କୁ ବଟି ମାଗିବା ଅଭିଯୋଗରେ ପ୍ରଥମେ ତାଙ୍କୁ ଗିରଫ କରାଯାଇଥିଲା ।