କୋଲକାତା: ରାଜନୀତିର ପଶାପାଲିରେ ବଳି ପଡ଼ିଲେ ରାଜନୈତିକ ଦଳୀୟ କର୍ମୀ । ନନ୍ଦିଗ୍ରାମର ପୂର୍ବ ଭେକୁଟିଆ ଅଞ୍ଚଳରେ ଜଣେ ବିଜେପିକର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ଏକ ଶୌଚାଳୟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳୁଥିଲା। ଏଭଳି ଅଭିଯୋଗ ଆଣିଛନ୍ତି ବିଜେପି କର୍ମୀଙ୍କ ପରିବାର ଲୋକେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।
ନନ୍ଦିଗ୍ରାମରୁ ବିଜେପି କର୍ମୀଙ୍କ ମୃତଦେହ ଉଦ୍ଧାର ସେପଟେ ପଶ୍ଚିମ ମେଦିନପୁରରେ ମଧ୍ୟରେ ଜଣେ ତୃଣମୂଳ କଂଗ୍ରେସକର୍ମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। କିଛି ଦୂର୍ବୃତ୍ତ ତୃଣମୂଳ କଂଗ୍ରେସ କର୍ମୀଙ୍କୁ ଛୁରି ଭୂଷୀ ହତ୍ୟା କରିଥିବା ଜଣାପଡ଼ିଛି। ଏହି ଘଟଣାରେ ପୋଲିସ 8ଜଣଙ୍କୁ ଗିରଫ କରିଛି। ଏହାକୁ ମୃତକଙ୍କ ପରିବାର ପକ୍ଷରୁ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି।
ଖାଲି ସେତିକି ନୁହେଁ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ଜଣେ ସିଆରପିଏଫ ଯବାନଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି। ପାଥର୍ପ୍ରିତିମା ପୋଲିଂ ବୁଥ ନିକଟରୁ ସମ୍ପୃକ୍ତ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯବାନଙ୍କ ନାମ କମଲ ଗାଙ୍ଗୋପାଧ୍ୟାୟ ବୋଲି ଜଣା ପଡ଼ିଛି। ତେବେ ଏହାକୁ ନେଇ ଭୋଟିଂ ପ୍ରକ୍ରିୟାରେ କୌଣସି ପ୍ରଭାବ ପଡ଼ିନାହିଁ। ଧାର୍ଯ୍ୟ ହୋଇଥିବା ସମୟରେ ହିଁ ପାଥର୍ପ୍ରିତିମା ପୋଲିଂ ବୁଥରେ ଭୋଟ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।
ଦ୍ବିତୀୟ ପର୍ଯ୍ଯାୟରେ ପଶ୍ଚିମବଙ୍ଗର ମୋଟ 30ଟି ବିଧାନସଭା ଆସନରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିମଧ୍ୟରେ ନନ୍ଦିଗ୍ରାମ ବିଧାନସଭା ଆସନ ଉପରେ ସଭିଙ୍କ ନଜର ରହିଛି। କାରଣ ଏହି ଆସନରୁ ତୃଣମୂଳ କଂଗ୍ରେସର ମମତା ବାନାର୍ଜୀ ଓ ବିଜେପିର ଶୁଭେନ୍ଦୁ ଅଧିକାରୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ମୋଟ 8 ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ଭୋଟିଂ ହେବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ