ବେଙ୍ଗାଲୁରୁ:ଜଣାଶୁଣା ବଡି ବିଲ୍ଡରରୁ ଲୁଟେରାଙ୍କ ସର୍ଦ୍ଦାର । ବଡି ବିଲ୍ଡିଂରେ ମିଷ୍ଟର ଆନ୍ଧ୍ର କୁହାଯାଉଥିବା ଯୁବକ ପାଲଟିଥିଲା କୁଖ୍ୟାତ ଚୋର । ସହଜରେ ପୁଳା ପୁଳା ଟଙ୍କା କମାଇବାକୁ ଲୁଟ୍ କରୁଥିଲା । ରାସ୍ତାରେ ଯାଉଥିବା ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ଛୁ' ମନ୍ତର ହୋଇଯାଉଥିଲା । ଏଭଳି ଗୋଟିଏ କି ଦୁଇଟି ନୁହେଁ, ୩୨ଟି ଲୁଟ୍ ମାମଲାରେ ମାଷ୍ଟର ମାଇଣ୍ଡ ଥିଲା । ଶେଷରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ । ଏହି ଅଭିଯୁକ୍ତର ପ୍ରକୃତ ନାମ ହେଉଛି ସୟିଦ ବସା । ମିଷ୍ଟର ଆନ୍ଧ୍ର ନାମରେ ପରିଚିତ ସୟିଦ ସମେତ ତାର ଆଉ ଜଣେ ସହଯୋଗୀ ଶେଖ ଆୟୁବକୁ ଚୋରି ଛିନତାଇ ମାମଲାରେ ପୋଲିସ ଗିରଫ କରିଛି ।
ଦୁଇ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ସୁନା ଚେନ୍, ୬ ଲକ୍ଷ ଟଙ୍କା ଏବଂ ଦୁଇଟି ବାଇକ୍ ଜବତ କରାଯାଇଛି । ସୟିଦର ଘର ଆନ୍ଧ୍ରପ୍ରଦେଶ କଡପା ଜିଲ୍ଲାରେ । ସେ ୨୦୦୫ରୁ ୨୦୧୫ ପର୍ଯ୍ୟନ୍ତ କୁଏତରେ କାର୍ ଡ୍ରାଇଭର ଭାବେ କାମ କରୁଥିଲା । ବିଦେଶରେ ଥିବାବେଳେ ସେ ସୁନା ଚୋରା ଚାଲାଣ ମାମଲାରେ ଜଡିତ ଥିଲା । କୋରୋନା ମହାମାରୀ ସମୟରେ ସୟିଦ ଭାରତ ଫେରି ଆସିଥିଲା ଏବଂ ଶାରିରୀକ ବ୍ୟାୟାମ କ୍ଷେତ୍ରରେ ନିଜର ରୁଚି ବଢାଇଥିଲା । ସୟିଦ ଅନେକ ବଡି ବିଲ୍ଡିଂ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଥିଲା । ଏଥିପାଇଁ ତାକୁ 'ମିଷ୍ଟର ଆନ୍ଧ୍ର' ଟ୍ୟାଗ୍ ମିଳିଥିଲା ।