ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ପୁଣି ଅଣାୟତ୍ତ ହୋଇଛି କୋରୋନା । ପ୍ରତିଦିନ ହଜାର ହଜାର ସଂଖ୍ୟକ ପଜିଟିଭ ମାମଲା ପ୍ରକାଶ ପାଉଛି । ଫଳସ୍ବରୁପ, ବର୍ତ୍ତମାନ ହସ୍ପିଟାଲଗୁଡିକରେ ରୋଗୀଙ୍କ ପାଇଁ ବେଡର ଅଭାବ ସୃଷ୍ଟି ହୋଇଛି । ବେଡ୍ ସମସ୍ୟା ଏଡାଇବାକୁ ବମ୍ବେ ମ୍ୟୁନିସିପାଲ କର୍ପୋରେସନ ପଞ୍ଚତାରକା ହୋଟେଲରେ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ନିଷ୍ପତ୍ତି ନେଇଛି । ମୁମ୍ବାଇସ୍ଥିତ ଇଣ୍ଟର କଣ୍ଟିନେଣ୍ଟାଲ ଏବଂ ଟ୍ରାଇଡେଣ୍ଟ ଭଳି ଦୁଇଟି ବିଶାଳ ପଞ୍ଚତାରକା ହୋଟେଲ କୋରୋନା ଚିକିତ୍ସା କରାଯିବ । କମ୍ କୋରୋନା ଲକ୍ଷଣ ସମ୍ପନ୍ନ ବ୍ୟକ୍ତି ଏହି ଦୁଇ ହୋଟେଲରେ ଚିକିତ୍ସିତ ହେବେ ।
ବିଗତ ଦିନରେ ସଂକ୍ରମଣ ମାତ୍ରାରେ ସୁଧାର ଆସିଥିବାବେଳେ ଗତ ଫେବୃୟାରୀରୁ ମୁମ୍ବାଇରେ ପୁଣି ଉତ୍କଟ ସ୍ଥିତି ଦେଖାଦେଇଛି । ବଢୁଥିବା ସଂକ୍ରମଣକୁ ତାଳ ଦେଇ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ସେପଟେ ମେଡିକାଲଗୁଡିକରେ ମଧ୍ୟ ରୋଗୀଙ୍କ ପାଇଁ ଯଥେଷ୍ଟ ବେଡ୍ ଉପଲବ୍ଧ ନାହିଁ । ଏଣୁ ପଞ୍ଚତାରକା ହୋଟେଲରେ କମ୍ ଲକ୍ଷଣ ଥିବା ସଂକ୍ରମିତଙ୍କ ଚିକିତ୍ସା ପାଇଁ ବିଏମସି ନିଷ୍ପତ୍ତି ନେଇଛି । ଅକ୍ସିଜେନ, ଆଇସିୟୁ ଓ ଭେଣ୍ଟିଲେଟର ଆବଶ୍ୟକ କରୁଥିବା ରୋଗୀମାନେ ହସ୍ପିଟାଲରେ ଚିକିତ୍ସିତ ହେବେ । ସେହିଭଳି ଯେଉଁମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ବାଭାବିକ ବା ସ୍ଥିର ଥିବ, ସେମାନଙ୍କୁ ଏହି ପଞ୍ଚତାରକା ହୋଟେଲରେ ଭର୍ତ୍ତି କରାଯିବ । ଯାହାଦ୍ବାରା କିଛି ମାତ୍ରାରେ ବେଡ ସମସ୍ୟା ଏଡାଇ ଦିଆଯାଇ ପାରିବ । ବମ୍ବେ ହସ୍ପିଟାଲ ତଥା ଏଚଏନ ରିଲିଆନ୍ସ ହସ୍ପିଟାଲ ଅଧୀନରେ ସମ୍ପୃକ୍ତ ପଞ୍ଚତାରକା ହୋଟେଲ ପରିଚାଳିତ ହେବ ।