ମୁମ୍ବାଇ:ମହାରାଷ୍ଟ୍ରରେ ଭୟଙ୍କର ବିସ୍ଫୋରଣ । ସୋଲାର ଏକ୍ସପ୍ଲୋସିଭ କମ୍ପାନୀରେ ବିସ୍ଫୋରଣ ହେବାରୁ 9 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ନାଗପୁରର ବଜାରଗାଓଁ ଗ୍ରାମରେ ଏହି ଘଟଣା ଘଟିଛି । ସୋଲାର କମ୍ପାନୀର କାଷ୍ଟ ବୁଷ୍ଟର୍ ପ୍ଲାଣ୍ଟରେ ପ୍ୟାକିଂ କରିବା ସମୟରେ ବିସ୍ଫୋରଣ ଘଟିଥିଲା । ମୃତକଙ୍କ ପରିଚୟ ପୋଲିସ ହାତରେ ଲାଗିଛି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରେ 6 ଜଣ ମହିଳା ରହିଛନ୍ତି । ଯାହା କମ୍ପାନୀରେ କାର୍ଯ୍ୟରତ ଶ୍ରମିକମାନଙ୍କ ସମ୍ପର୍କୀୟଙ୍କ ଚିନ୍ତା ବଢାଇ ଦେଇଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ବିସ୍ଫୋରଣରେ କେତେ ଆହତ ହୋଇଛନ୍ତି ସେନେଇ ସୂଚନା ହସ୍ତଗତ ହୋଇନାହିଁ ।
ନିକଟରେ ରିଲିଆନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଘର ସାମ୍ନାରେ 20ଟି ଜେଲାଟିନ୍ ଷ୍ଟିକ୍ ଯଥା 'ଏମୁଲେସନ ବିସ୍ଫୋରକ' ମିଳିଥିଲା । ଏହି ବିସ୍ଫୋରକ ସାମଗ୍ରୀ ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିଲା । 2018ରେ ମଧ୍ୟ ଏହି କମ୍ପାନୀରେ ବିସ୍ଫୋରଣ ହୋଇଥିଲା । ସେତେବେଳେ ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା। ବିସ୍ଫୋରଣ ପରେ ଗ୍ରାମବାସୀଙ୍କ ଆନ୍ଦୋଳନ ଯୋଗୁଁ ଏଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।
ମୃତକଙ୍କ ମଧ୍ୟରୁ 2 ଜଣ ଓ୍ବାର୍ଦ୍ଧାର ହୋଇଥିବା ବେଳେ ଜଣେ ଚନ୍ଦ୍ରପୁର ଓ ଜଣେ ଅମରାବତୀ ଓ 5 ଜଣ ନାଗପୁରର । ସେମାନେ ହେଉଛନ୍ତି ଯୁବରାଜ କିଶାନଜୀ ଘାରୋଡେ, ଓମେଶ୍ୱର କିଶାନଲାଲ ମାଚିର୍କେ, ମିତା ପ୍ରମୋଦ ଉଇକେ, ଆରତୀ ନୀଲକାନ୍ତ ସାହାରେ, ସ୍ବେତାଲି ଦାମୋଦର ମାରବେଟ, ପୁଷ୍ପା ଶ୍ରୀରାମଜୀ ମନପୁର, ଭାଗାଶ୍ରୀ ସୁଧାକର ଲୋଟେନ, ରୁମିତା ଭିଲାସ, ଏବଂ ମୌସମ ରାଜକୁମାର ।