ହାଇଦ୍ରବାଦ:ଦଳରେ ଉଚିତ ଗୁରୁତ୍ବ ମିଳୁନଥିବା ଅଭିଯୋଗ କରି ଅସନ୍ତୋଷ ଝାଡିଲେ ଭାରତୀୟ ଜନତା ପାର୍ଟିର ତେଲେଙ୍ଗାନା ବିଧାୟକ ଏମ.ରଘୁନନ୍ଦନ ରାଓ । ଦିଲ୍ଲୀରେ କେନ୍ଦ୍ର ଓ ରାଜ୍ୟ ନେତୃତ୍ବଙ୍କ ଉପରେ ବର୍ଷିଲେ । ବିଜେପି ପାଇଁ 10 ବର୍ଷ ହେଲା କାମ କରିଛନ୍ତି । ହେଲେ ତାଙ୍କୁ ଦଳରେ ସେତିକି ଗୁରୁତ୍ବ ମିଳିନି । ତାଙ୍କୁ କୌଣସି ଉଚିତ ପଦ ପଦବୀରେ ମଧ୍ୟ ଦଳ ଦାୟିତ୍ବ ଦେଇନି । ଏପରିକି ସେ ତାଙ୍କ ବିଧାନସଭା ଆସନରେ ବିଜୟୀ ହେବା ପଛରେ ଦଳର କମ ସହଯୋଗ ଥିଲା ଓ ତାଙ୍କର ନିଜସ୍ବ ଉଦ୍ୟମରେ ସେ ବିଜୟୀ ହୋଇଥିବା କହିଥିଲେ । ହେଲେ ମାତ୍ର କିଛି ସମୟ ମଧ୍ୟରେ ସେ ତାଙ୍କର ଆକ୍ରମଣାତ୍ମକ ଆଭିମୁଖ୍ୟରେ ପରିବର୍ତ୍ତନ କରିଛନ୍ତି । କହିଛନ୍ତି, ସେ ଭିନ୍ନ କାମରେ ଦିଲ୍ଲୀ ଆସିଥିଲେ । ସେ ଜଣେ ଶୃଙ୍ଖଳିତ କର୍ମୀ । ଯାହା ଦାୟିତ୍ବ ମିଳିବ ତୁଲାଇବେ ।
ଏପରି ସଙ୍ଗୀନ ଅଭିଯୋଗ କରିବାର ମାତ୍ର 3 ଘଣ୍ଟା ମଧ୍ୟରେ ସେ ତାଙ୍କ ମନ୍ତବ୍ୟରେ ପରିବର୍ତ୍ତନ କରି ସେ ଜଣେ ଶୃଙ୍ଖଳିତ ବିଜେପି କାର୍ଯ୍ୟକର୍ତ୍ତା ବୋଲି କହିଛନ୍ତି । ସେ ଦିଲ୍ଲୀରେ କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ସାକ୍ଷାତ କରିବାକୁ ଆସିଥିଲେ । ତାଙ୍କ ନିର୍ବାଚନ ମଣ୍ଡଳୀରେ ରାସ୍ତା ନିର୍ମାଣ ପାଇଁ ପ୍ରାୟ 150 କୋଟି ଟଙ୍କା ପ୍ରଦାନ କରିବାକୁ ସେ ଗଡକାରୀଙ୍କୁ ଅନୁରୋଧ କରିବା ପାଇଁ ଦିଲ୍ଲୀ ଆସିଥିବା କହିଛନ୍ତି ବିଧାୟକ ରଘୁନନନ୍ଦନ ରାଓ ।
ଏହା ପୂର୍ବରୁ ଗଣମାଧ୍ୟମରେ ଏପରି ଅଭିଯୋଗ ଆଣି ରଘୁନନ୍ଦନ ଏକାଧିକ ଦଳୀୟ ଆଭ୍ୟନ୍ତରୀଣ ପ୍ରସଙ୍ଗ ମଧ୍ଯ ଉଠାଇବାକୁ ପଛାଇନଥିଲେ । ଖବରକାଗଜରେ ବିଜ୍ଞାପନ ଦେବା ପାଇଁ ରାଜ୍ୟ ବିଜେପି ସଭାପତି ବନ୍ଦୀ ସଞ୍ଜୟଙ୍କୁ 100 କୋଟି ଟଙ୍କା କିପରି ଦିଆଯାଇଛି ? ଜଣେ ସାଂସଦ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ନିଜ ପତ୍ନୀଙ୍କ 'ମଙ୍ଗଳସୁତ୍ର' ବିକ୍ରି କରିବାକୁ ପଡିଥିବା ଜଣେ ବ୍ୟକ୍ତି କିପରି ଏହି ଅଭିଯାନ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରିପାରନ୍ତି ବୋଲି ରଘୁନନ୍ଦନ ପ୍ରଶ୍ନ କରିବା ସହ ଏହା ଦଳୀୟ ଟଙ୍କା ଥିଲା ବୋଲି ମଧ୍ୟ ଗଣମାଧ୍ୟମ ସମ୍ମୁଖରେ କହିବାକୁ ପଛାଇନଥିଲେ ।