କୋଲକାତା: ପଶ୍ଚିମବଙ୍ଗରେ ଶେଷ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର । ଏହି ପର୍ଯ୍ୟାୟରେ ଉଭୟ ଶାସକ ଓ ବିରୋଧୀ ଦଳର ଫୋକସରେ ରହିଛି ରାଜ୍ୟର ହଟସିଟ ନନ୍ଦିଗ୍ରାମ । ତୃଣମୂଳ କଂଗ୍ରେସର ବଙ୍ଗ ଗଡ ଦଖଲ କରିବାକୁ ପ୍ରଥମରୁ ହିଁ ସମସ୍ତ ଶକ୍ତି ଲଗାଇଦେଇଥିଲା ଭାରତୀୟ ଜନତା ପାର୍ଟି ।
ବଙ୍ଗ ଗଡରେ ବିଜେପି ଚାଣକ୍ୟଙ୍କ ରଣନୀତି, କିପରି ପ୍ରସ୍ତୁତ ହେଲା ରୋଡ ଶୋ'ର ରୋଡ ମ୍ୟାପ? ବଙ୍ଗରେ ବିଜୟୀ ହେବାକୁ ବିଜେପି ଆଶାବାଦୀ ଥିବା ବେଳେ ପ୍ରଶ୍ନ ଉଠୁଛି ଦଳକୁ ଶକ୍ତି ଯୋଗାଇବା ପଛରେ ରହିଛି କାହାର ହାତ? କାହା ରଣନୀତିରେ ତୃଣମୂଳ ସ୍ତରରୁ ବିଜେପିକୁ ଶକ୍ତଶାଳୀ କରିବାକୁ କରାଯାଇଛି ଯୋଜନା ? ଏହି ସମସ୍ତ ପ୍ରଶ୍ନ ମଧ୍ୟରେ ଉତ୍ତରରେ କେବଳ ଗୋଟିଏ ନାଁ ଆସେ, ବିଜେପିର ଚାଣକ୍ୟ କୁହାଯାଉଥିବା ଗୃହମନ୍ତ୍ରୀ ଅମିତ ଶାହ ।
ପ୍ରଥମରୁ ହିଁ ପଶ୍ଚିମବଙ୍ଗର କୋଣ ଅନୁକୋଣରେ ପହଞ୍ଚିବାକୁ ଗୃହମନ୍ତ୍ରୀଙ୍କ ମାଷ୍ଟରପ୍ଲାନ ବଳରେ ପ୍ରସ୍ତୁତ ହୋଇଥିଲା ରୋଡ ଶୋର ରୋଡମ୍ୟାପ । ଘରେ ଘରେ ଯାଇ ପ୍ରଚାର କରିବା ବିଜେପିର ଥିଲା ରଣନୀତି ।
ଦ୍ବିତୀୟ ପର୍ଯ୍ୟାୟ ପ୍ରଚାର ଅଭିଯାନ ଉପରେ ପକାନ୍ତୁ ନଜର । ପ୍ରଚାରର ଶେଷ ଦିନରେ ଶାହଙ୍କ 50 କିଲୋମିଟରର ରୋଡ ଶୋ । ଏହା ପୂର୍ବରୁ ମଧ୍ୟ ଗୃହମନ୍ତ୍ରୀଙ୍କ ନେତୃତ୍ବରେ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ରୋଡ ଶୋ କରିଥିଲା ବିଜେପି ।
ଶାହଙ୍କ ରୋଡ ଶୋ ଏପରି ଅଞ୍ଚଳରେ ହୋଇଛି, ଯେଉଁଠି ବିଜେପିର ବଡ ବଡ ନେତା ମଧ୍ୟ ଏଠାକୁ ଗସ୍ତ କରିପାରିନଥିଲେ । ଛୋଟରୁ ଅତି ଛୋଟ ଗଳିରେ ମଧ୍ୟ ଶାହାଙ୍କ ରୋଡ ଶୋ ହୋଇଥିବା ବେଳେ ଜନସାଧାରଣଙ୍କ ସହ ସିଧାସଳଖ ମିଶିବାକୁ ପ୍ରୟାସ କରିଥିଲେ ଗୃହମନ୍ତ୍ରୀ ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସ୍ଥାନୀୟ ନେତାଙ୍କୁ ପ୍ରଥମେ ଭେଟି ବିଜୟଲାଭର ମନ୍ତ୍ର ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହ । ଆଉ ଏହାପରେ ଆରମ୍ଭ ହୁଏ ରଣନୀତି । ଗୃହମନ୍ତ୍ରୀଙ୍କ ଗସ୍ତ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ବରେ ବଙ୍ଗର କୋଣ ଅନୁକୋଣକୁ ବ୍ୟାପିଯାଇଥିଲେ ଦଳୀୟକର୍ମୀ । ଲକ୍ଷ୍ୟ ଥିଲା ଘରେ ଘରେ ଯାଇ ଲୋକଙ୍କ ସହ ସିଧା ସମ୍ବାଦ । ଆଉ ଏହି ରଣନୀତି ବଳରେ ଆଜି ବଙ୍ଗ ଦଖଲ ନେଇ ଦାବି କରୁଛି ବିଜେପି ।