ଓଡିଶା

odisha

ETV Bharat / bharat

‘ଭାରତ’ ଓ ‘ଏକକ ନିର୍ବାଚନ’ ପ୍ରସ୍ତାବ ପାଇଁ ଆବଶ୍ୟକ ସମ୍ବିଧାନ ସଂଶୋଧନ, ରାଜ୍ୟସଭାରେ ବିରୋଧ କରିବ କଂଗ୍ରେସ - ସଂସଦ ସ୍ବତନ୍ତ୍ର ଅଧିବେଶନ

ବିଜେପି ସରକାରର ‘ଭାରତ’ ନାମକରଣ ଓ ‘ଏକକ ନିର୍ବାଚନ’ ପ୍ରସ୍ତାବ ପାଇଁ ସମ୍ବିଧାନ ସଂଶୋଧନ ଆବଶ୍ୟକ ଥିବା କହିଲା କଂଗ୍ରେସ । ରାଜ୍ୟସଭାରେ ବିରୋଧ କରିବା ନେଇ ଦଳୀୟ ଆଭିମୁଖ୍ୟ । ଅଧିକ ପଢନ୍ତୁ

ବିଜେପିର ଭାରତ ଓ ଏକକ ନିର୍ବାଚନ ପ୍ରସ୍ତାବ ପାଇଁ ସମ୍ବିଧାନ ସଂଶୋଧନ ଆବଶ୍ୟକ, ରାଜ୍ୟସଭାରେ ବିରୋଧ କରିବ କଂଗ୍ରେସ
ବିଜେପିର ଭାରତ ଓ ଏକକ ନିର୍ବାଚନ ପ୍ରସ୍ତାବ ପାଇଁ ସମ୍ବିଧାନ ସଂଶୋଧନ ଆବଶ୍ୟକ, ରାଜ୍ୟସଭାରେ ବିରୋଧ କରିବ କଂଗ୍ରେସ

By ETV Bharat Odisha Team

Published : Sep 6, 2023, 7:31 PM IST

ନୂଆଦିଲ୍ଲୀ: ଦେଶର ନାମ ‘ଇଣ୍ଡିଆ’କୁ ବାଦ ଦେଇ ‘ଭାରତ’ ନାମକରଣ ଓ ‘ଏକକ ନିର୍ବାଚନ’ ପ୍ରସଙ୍ଗ ଯଦି ସଂସଦରେ ଆସେ, ତେବେ ଏହାକୁ ବିରୋଧ କରିବ କଂଗ୍ରେସ । ଏହି ଦୁଇ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ସମ୍ବିଧାନରେ ସଂଶୋଧନ ଆବଶ୍ୟକ । ଭାରତୀୟ ଜନତା ପାର୍ଟି ସରକାର ଯଦି ଉଭୟ ପ୍ରସ୍ତାବକୁ ସଂସଦରେ ଆଗତ କରେ ତେବେ କଂଗ୍ରେସ ଏହାକୁ ରାଜ୍ୟସଭାରେ ବିରୋଧ କରିବା ନେଇ କହିଛନ୍ତି କଂଗ୍ରେସ ନେତା ରଜନୀ ପାଟିଲ୍‌ ।

18 ରୁ 22 ତାରିଖ ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ଆହୁତ ହେବାକୁ ଘୋଷଣା ହେବା ପରେ ଏବେ ଏହି ଦୁଇ ପ୍ରସଙ୍ଗ ସମ୍ପର୍କରେ ଗୃହରେ ବିଲ୍‌ କିମ୍ବା ସଙ୍କଳ୍ପ ଆଗତ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ହେଲେ ସରକାରୀ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ମିଳିନି । କେବଳ ଏହି ଦୁଇ ପ୍ରସଙ୍ଗ ନୁହେଁ ବରଂ ସ୍ବତନ୍ତ୍ର ଅଧିବେଶନ ଆହୁତ କରିବା ପ୍ରସଙ୍ଗରେ ମଧ୍ୟ ସରକାର କୌଣସି ନିର୍ଦ୍ଦିଷ୍ଟ ଏଜେଣ୍ଡା ସାମ୍ନାକୁ ଆଣିନାହାନ୍ତି । ତେବେ କୌଣସି ନିର୍ଦ୍ଦିଷ୍ଟ ଏଜେଣ୍ଡା ସମ୍ପର୍କରେ ସ୍ପଷ୍ଟ ନହେବା ଅନେକ ଚର୍ଚ୍ଚାକୁ ଜନ୍ମ ଦେଇଛି । ଯଦି ବିରୋଧୀଙ୍କ ଆଶଙ୍କା ଅନୁସାରେ ବିଜେପି ସରକାର ଏହି ଦୁଇ ଯୋଜନାକୁ ଅଧିବେଶନରେ ଉଠାଏ, ତେବେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ଉଭୟ ପ୍ରସଙ୍ଗକୁ ବିରୋଧ କରିବେ ।

ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ରଜନୀ ପାଟିଲ୍‌ ଇଟିଭି ଭାରତକୁ ଏହି ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସମ୍ବିଧାନରେ ଇଣ୍ଡିଆ ଶବ୍ଦ ବ୍ୟବହାର କରାଯାଇଛି । ଇଣ୍ଡିଆ ରାଜ୍ୟ ମାନଙ୍କର ଏକ ସମଷ୍ଟି । ଭାରତ ଓ ଇଣ୍ଡିଆ ଶବ୍ଦ ଉଭୟ ଏକକ ଅର୍ଥ ବହନ କରନ୍ତି । ହେଲେ ସମ୍ବିଧାନରେ ‘କନଷ୍ଟିଚ୍ୟୁସନ ଅଫ ଇଣ୍ଡିଆ’ ବ୍ୟବହାର ହୋଇଛି । ଯଦି କେନ୍ଦ୍ର ସରକାର ଏହି ‘ଇଣ୍ଡିଆ’ ଶବ୍ଦକୁ ବାଦ ଦେଇ ଏହା ପରିବର୍ତ୍ତେ କେବଳ ‘ଭାରତ’ ଶବ୍ଦ ବ୍ୟବହାର କରିବାକୁ ନିଷ୍ପତ୍ତି ନେବେ, ତେବେ ଏଥିପାଇଁ ସଂସଦରେ ବିଲ ପାରିତ କରି ସମ୍ବିଧାନ ସଂଶୋଧନ କରିବାକୁ ପଡିବ । ଯଦି ଏହି ସଂକ୍ରାନ୍ତୀୟ କୌଣସି ବିଲ ସଂସଦରେ ଆଗତ ହୁଏ, ତେବେ ଉଚ୍ଚସଦନ ରାଜ୍ୟସଭାରେ କଂଗ୍ରେସ ଓ ‘ଇଣ୍ଡିଆ’ ମେଣ୍ଟର ସହଯୋଗୀ ଦଳମାନେ ଏହାକୁ ବିରୋଧ କରିବେ । ସେହିପରି ଯଦି ଏକକ ନିର୍ବାଚନ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ବିଲ୍‌ ଆଣେ ତାକୁ ମଧ୍ୟ ରାଜ୍ୟସଭାରେ ବିରୋଧୀ ମେଣ୍ଟ ବିରୋଧ କରିବା ନେଇ ସେ ସ୍ପଷ୍ଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- G20 Summit: ଜି-୨୦ରେ ଜିନପିଙ୍ଗ, ପୁଟିନ୍‌ ନଆସିବା ନେଇ ଏମିତି କହିଲେ ଜୟଶଙ୍କର

କୌଣସି ଏଜେଣ୍ଡା ସ୍ପଷ୍ଟ ନକରି, ସଂସଦ ଅଧିବେଶନ ଡାକିବା ପ୍ରସଙ୍ଗରେ ମଧ୍ୟ ସେ ବିଜେପି ସରକାର ଉପରେ ବର୍ଷିଛନ୍ତି । ଏହି ସମସ୍ତ ଚର୍ଚ୍ଚା, ଆଶଙ୍କା ଓ ଅନୁମାନ ମଧ୍ୟରେ 18 ତାରିଖରୁ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି 5ଦିନିଆ ସ୍ବତନ୍ତ୍ର ଅଧିବେଶନ 22 ତାରିଖରେ ଶେଷ ହେବ । ବିଜେପି ସରକାର 2024 ସାଧାରଣ ନିର୍ବାଚନ ପୂର୍ବରୁ ଡାକିଥିବା ଏହି ସ୍ବତନ୍ତ୍ର ଅଧିବେଶନରେ କିଛି ଗୁରୁତ୍ବପୂର୍ଣ୍ଣ ବିଲ୍‌ ଆଣିବା ନେଇ ଅନୁମାନ କରାଯାଉଛି । ଏହା ମଧ୍ୟରେ ଏକକ ନିର୍ବାଚନ, ଆଗୁଆ ନିର୍ବାଚନ ଚର୍ଚ୍ଚା ସହ ଦେଶର ନାମ ସଂଶୋଧନ ପ୍ରସଙ୍ଗ ଚର୍ଚ୍ଚାର ମୁଖ୍ୟାଂଶରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details