ଶିମଲା: ହିମାଚଳ ପ୍ରଦେଶରେ ପ୍ରତି ପାଞ୍ଚ ବର୍ଷରେ ଥରେ ସରକାର ପରିବର୍ତ୍ତନ ନେଇ ଜାରି ରହିଥିବା ଧାରାକୁ ସମାପ୍ତ କରିବ ଭାରତୀୟ ଜନତା ପାର୍ଟି (Himachal pradesh assembly poll)। ଚଳିତ ବିଧାନସଭା ନିର୍ବାଚନରେ ପୁଣି ଥରେ ଦଳ କ୍ଷମତା ବଜାୟ ରଖିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନର୍ବାଚନୀ ପ୍ରଚାରରେ ହିମାଚଳ ପ୍ରଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ସୋଲାନର ଥୋଡୋ ମୈଦାନରେ ଦଳ ଦ୍ବାରା ଆୟୋଜିତ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ଅବସରରେ ଏହା କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି,‘‘କଂଗ୍ରେସ ନେତୃତ୍ୱାଧୀନ ମିଳିତ ସରକାରର ବିପୁଳ ଦୁର୍ନୀତି ଓ ଦୁର୍ବଳ ଶାସନକୁ ଦେଶବାସୀ ଦେଖିସାରିଛନ୍ତି । ସ୍ଥିର ସରକାର ବିନା ପ୍ରଗତି ସମ୍ଭବ ନୁହେଁ ଏକାଥା ଜନତା ହୃଦୟଙ୍ଗମ ମଧ୍ୟ କରି ସାରିଛନ୍ତି । ତେଣୁ ସେମାନେ ଏକ ସ୍ଥିର ଓ ଦୃଢ ସରକାର ସପକ୍ଷରେ ନିଶ୍ଚୟ ଭୋଟ ଦେବେ । ଭାରତୀୟ ଜନତା ପାର୍ଟି ବିକାଶର କେଉଁ ଧାରାକୁ ଛାଡି ନାହିଁ । ତେଣୁ 2019ରେ ସେମାନେ ଆମକୁ ପୁଣି ଥରେ ନିର୍ବାଚିତ କଲେ । ସେହିପରି କେବଳ ସାଧାରଣ ନିର୍ବାଚନ ନୁହେଁ, ବଂର ରାଜ୍ୟ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ଏକାଧିକ ରାଜ୍ୟରେ ଜନମତ ପାଇ ସରକାର ଗଠନ କରିବାରେ ସଫଳ ହେଲା ।’’