ଗୌହାଟୀ:ଆସନ୍ତାବର୍ଷ (2024) ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି 3 ଶହରୁ ଅଧିକ ଆସନରେ ବିଜୟୀ ହୋଇ କେନ୍ଦ୍ରରେ କ୍ଷମତା ବଜାୟ ରଖିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ 3ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ଦଳର ମୁଖ୍ୟ ରଣନୀତିକାର କୁହାଯାଉଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଉତ୍ତର-ପୂର୍ବ ଗସ୍ତରେ ଥିବା ଶାହ ଆଜି (ମଙ୍ଗଳବାର) ଆସାମର ଦିବୃଗଡରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଏହା କହିଛନ୍ତି ।
ସେଠାରେ ବିଜେପି ଦଳୀୟ କାର୍ଯ୍ୟାଳୟ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶାହ କହିଛନ୍ତି, 2024 ସାଧାରଣ ନିର୍ବାଚନରେ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ପୂର୍ଣ୍ଣ ବହୁମତ ସହ ତୃତୀୟ ଥର କ୍ଷମତା ହାସଲ କରିବାକୁ ଯାଉଛି । ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ସେହିପରି ଆସାମରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ । ମୋଟ 14 ଲୋକସଭା ଆସନ ଥିବା ଆସାମରେ ଦଳ 12ଟି ଆସନରେ ବିଜୟ ଲାଭ କରିବା ନେଇ ନିଶ୍ଚିତ ରହିଛନ୍ତି ଶାହ ।
ସେହିପରି ସେ ଦଳୀୟ ବିଜୟକୁ ନିଶ୍ଚିତ କରିବା ସହ ପାରମ୍ପରିକ ବିରୋଧୀ କଂଗ୍ରେସକୁ ଟାର୍ଗେଟ କରିବାର କୌଣସି ଅବସର ଛାଡିନାହାନ୍ତି । କହିଛନ୍ତି, ଉତ୍ତର-ପୂର୍ବ ଦିନେ କଂଗ୍ରେସର ଏକ ଗଡ ଭାବେ ପରିଚିତ ଥିଲା । ହେଲେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ସତ୍ତ୍ବେ ମଧ୍ୟ ଦଳ ବିଧାନସଭା ନିର୍ବାଚନରେ ଅତି ନୈରାଶ୍ୟଜନକ ପ୍ରଦର୍ଶନ କଲା । ଚଳିତ ବର୍ଷ ପ୍ରାରମ୍ଭରେ ହୋଇଥିବା ତିନି ଉତ୍ତର-ପୂର୍ବ ରାଜ୍ୟରେ ଦଳ ଭଲ ପ୍ରଦର୍ଶନ କରିପାରିନି ବୋଲି କହି କଂଗ୍ରେସର ଦେଶବ୍ୟାପୀ ଭାରତ ଯୋଡୋ ଯାତ୍ରାକୁ କଟାକ୍ଷ କରିଛନ୍ତି ଶାହ ।