ନୂଆଦିଲ୍ଲୀ:ତିନି ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜ୍ୟ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ ବିଧାନସଭା ନିର୍ବାଚନରେ ବିଜେପିକୁ ସ୍ପଷ୍ଟ ଜନାଦେଶ ମିଳିଛି । ମାତ୍ର ଜନାଦେଶ ପରେ ଏହି ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ ପ୍ରସଙ୍ଗ ମଧ୍ୟ ସେତିକି ରୋଚକ ହେବାରେ ଲାଗିଛି । କାରଣ ଏହି ତିନି ରାଜ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି ଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚଳିତ ଥର ଦାବିଦାର ମଧ୍ୟ ରହିଛନ୍ତି । ମୁଖ୍ୟମନ୍ତ୍ରୀ ଚୟନ ନେଇ ସମୟ ଯେତିକି ବିଳମ୍ବ ହେଉଛି, ଚର୍ଚ୍ଚା ମଧ୍ୟ ସେତିକି ବଢିବାରେ ଲାଗିଛି । ତେବେ ଏହି ବିଳମ୍ବର କାରଣ ହେଉଛି, ବିଜେପି ଫୋକସରେ ରହିଛି 2024 ସାଧାରଣ ନିର୍ବାଚନ । ଆଉ ମାତ୍ର 4 ରୁ 5 ମାସ ବାକିଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଏହି 3 ପ୍ରମୁଖ ମଧ୍ୟ-ଭାରତୀୟ ରାଜ୍ୟରେ ପୁରୁଣାଙ୍କୁ ବାଦ ଦେଇ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିବାର ସମ୍ଭାବନା ଯଥେଷ୍ଟ ରହିଛି ।
ଗତକାଲି(ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଦଳର ବରିଷ୍ଠ ନେତା ଏକାଠି ହୋଇ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ ନେଇ ଆଲୋଚନା କରିଥିଲେ । ଅପରାହ୍ନରେ ଏକାଧିକ ଘଣ୍ଟା ଚାଲିଥିବା ଏହି ମାନସମନ୍ଥନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ତଥା ଦଳର ମୁଖ୍ୟ ରଣନୀତିକାର କୁହାଯାଉଥିବା ଅମିତ ଶାହ ପ୍ରମୁଖ ସାମିଲ ଥିଲେ । ଏହି ରାଜ୍ୟ ଗୁଡିକର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପାଇଁ କେନ୍ଦ୍ରୀୟ ନେତୃତ୍ବଙ୍କ ଫୋକସରେ ରହିଛି ନୂଆ ମୁହଁ ।
ଅନ୍ୟପଟେ ବିଧାୟକ ଦଳ ବୈଠକ ପାଇଁ ଦଳ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି କରିବା ପୂର୍ବରୁ ଦିଲ୍ଲୀରେ ରୁଦ୍ଧଦ୍ବାର ମାନସନ୍ଥନ ଜାରି ରହିଛି । ଯାହା ଦର୍ଶାଉଛି ଯେ, କେବଳ ନବନିର୍ବାଚିତ ବିଧାୟକଙ୍କ ନିଷ୍ପତ୍ତି ନୁହେଁ ବରଂ କେନ୍ଦ୍ରୀୟ ନେତୃତ୍ବଙ୍କ ନିଷ୍ପତ୍ତି ହିଁ ନିର୍ଣ୍ଣାୟକ ହେବ । ମଧ୍ୟ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦ ଦାବିଦାରର ଶୀର୍ଷରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଏହା ସହ 3 କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ବରିଷ୍ଠ ନେତା କୈଳାଶ ବିଜୟବର୍ଗୀୟଙ୍କ ନାମ ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ରହିଛି ।
ସେହିପରି ରାଜସ୍ଥାନରେ ପୂର୍ବରୁ ଦୁଇଥର ମୁଖ୍ୟମନ୍ତ୍ରୀ ରହିସାରିଥିବା ବସୁନ୍ଧରା ରାଜେ ସିନ୍ଧିଆ, ପ୍ରଥମ ଥରର ଯୁବ ସାଂସଦ ମହନ୍ତ ବାଲକନାଥଙ୍କ ମଧ୍ୟରେ ସର୍ବାଧିକ ଦାବିଦାର ଥିବା ବେଳେ ସାଂସଦ ଦୀୟା କୁମାରୀ ଓ ଏଥର ବିଧାନସଭା ନିର୍ବାଚନ ଲଢିଥିବା କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବାତ, ଅର୍ଜୁନ ରାମ ମେଘଓ୍ବାଲ ଓ ପ୍ରଦେଶ ବିଜେପି ମୁଖ୍ୟ ସିପି ଯୋଶୀଙ୍କ ନାମ ତାଲିକାରେ ଯୋଡି ହେଇଛି । ରାଜ୍ୟରେ ସଂଗଠନରେ ସବୁଠାର ଅଧିକ ପ୍ରଭାବ ରଖୁଥିବା ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଆସନ ଦେବା ସପକ୍ଷରେ କେନ୍ଦ୍ରୀୟ ନେତା ନଥିବା ମଧ୍ୟ ଚର୍ଚ୍ଚା ହେଉଛି । ତେଣୁ ଏଠାରେ ସମ୍ଭାବ୍ୟ ନୂଆ ଚେହେରାଙ୍କ ମଧ୍ଯରେ ବାଲକନାଥ ଆଗରେ ରହିଛନ୍ତି ।