ନୂଆଦିଲ୍ଲୀ:ଲଣ୍ଡନ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଆୟୋଜିତ ସେମିନାରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ BJP ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ କଡା ସମାଲୋଚନା କରିଛନ୍ତି । ଫଳରେ ଦେଶରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଉଷ୍ମ ହେବାରେ ଲାଗିଛି । ଦେଶରେ ବିଜେପି କିରୋସିନି ଛିଞ୍ଚିବା କାର୍ଯ୍ୟ କରିଥିବା ମନ୍ତବ୍ୟରେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି ବିଜେପି(BJP slams Rahul Gandhi) । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଗୌରଭ ଭାଟିଆ ରାହୁଲଙ୍କୁ କାଉଣ୍ଟର କରିବା ସହ ଗାନ୍ଧୀ ପରିବାର ଦେଶର ଛବିକୁ ମଳିନ କରିଥିବା ସିଧା ଆରୋପ ଲଗାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ:-ଭାରତର ସ୍ଥିତି ଭଲ ନାହିଁ, ବିପଦରେ ଗଣତନ୍ତ୍ର, ଭୁଶୁଡୁଛି ସାମ୍ବିଧାନିକ ଅନୁଷ୍ଠାନ: ରାହୁଲ ଗାନ୍ଧୀ
ଏକ ସାମ୍ବାଦିକ ସମ୍ମିଳନୀରେ ଗୌରଭ କହିଛନ୍ତି, "ରାହୁଲ ସେଠାରେ ବିଭିନ୍ନ ପ୍ରସଙ୍ଗରେ ଯେଉଁ ମତ ପୋଷଣ କରିଛନ୍ତି ତାହା ଦେଶର ଭାବମୂର୍ତ୍ତିକୁ ଖରାପ କରିଛି । ଏହା ରାହୁଲ ଓ ଗାନ୍ଧୀ ପରିବାରର ଏକ ଅଭ୍ୟାସରେ ପରିଣତ ହୋଇ ସାରିଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ବିରୋଧ କରିବାକୁ ଯାଇ ସେମାନେ ଦେଶ ବିରୋଧି ମନ୍ତବ୍ୟ ଦେବାରେ ଲାଗିଲେଣି ।" କେବଳ ଏତିକି ନୁହେଁ ଭାଟିଆ, ରାହୁଲଙ୍କୁ ଜଣେ ହତାଶ ଓ ବିଫଳ କଂଗ୍ରେସ ନେତା ବୋଲି ମଧ୍ୟ କହିଛନ୍ତି ।