ନୂଆଦିଲ୍ଲୀ: ବିହାର ନିର୍ବାଚନ ପରେ ଏବେ ବିଜେପିର ମିଶନ ବଙ୍ଗ ଦଖଲ ଅଭିଯାନ । ଦଳ ଏଥିପାଇଁ ମିଶନ ବଙ୍ଗ ଲଞ୍ଚ କରିସାରିଛି । ଏହି ମିଶନ ସଫଳତା ପାଇଁ ଦଳକୁ ମମତା ବାନାର୍ଜୀଙ୍କ ଆହ୍ବାନକୁ ତ ଗ୍ରହଣ କରିବାକୁ ପଡିବ, ଏହାସହ ରାଜ୍ୟରେ ଶକ୍ତିଶାଳୀ ଥିବା ବାମଦଳକୁ ମଧ୍ୟ ଟକ୍କର ଦେବାକୁ ପଡିବ । ଏଥିପାଇଁ ଦଳ ବାମଗଡ କୁହାଯାଉଥିବା ଜବାହାର ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ରୁ ଆରମ୍ଭ କରିଛି ।
ପ୍ରଧାନମନ୍ତ୍ରୀ ମୋଦି ଗତ ଗୁରୁବାର ନଭେମ୍ବର 12 ରେ ବାମପନ୍ଥୀ ରାଜନୀତିର ମୂଳଦୁଆ ପକାଉଥିବା ଜେଏନୟୁ କ୍ୟାମ୍ପସ ପରିସରରେ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି । ଏହି ମୂର୍ତ୍ତି ଦୀର୍ଘ 15 ବର୍ଷ ହେଲା ଅନାବରଣ ଅପେକ୍ଷାରେ ଥିଲା । କାରଣ ସ୍ବାମୀ ବିବେକାନନ୍ଦଙ୍କ ମୂର୍ତ୍ତି ସ୍ଥାପନକୁ ବାମପନ୍ଥୀ ଓ ଏହାର ଛାତ୍ର ସଂଗଠନ ବିରୋଧ କରୁଥିଲେ । ଏପରିକି ବର୍ଷ 2019 ରେ ଅନାବରଣ ହୋଇଥିବା ପ୍ରତିମୂର୍ତ୍ତିକୁ ଭାଙ୍ଗିବାକୁ ଉଦ୍ୟମ କରିବା ସହ ବିଭିନ୍ନ ଅପଶବ୍ଦ ଲେଖିଥିଲେ । କାରଣ ସ୍ବାମୀ ବିବେକାନନ୍ଦ ଙ୍କ ବିଚାରଧାରା ବିଜେପି ଓ ଏହାର ମାର୍ଗଦର୍ଶକ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘର ଆଦର୍ଶ ହୋଇଥିବା ବେଳେ ବାମପନ୍ଥୀଙ୍କ ପାଇଁ ଗ୍ରହଣୀୟ ହୋଇପାରୁନାହିଁ ।
ଏହାରି ଭିତରେ ପ୍ରଥମ ଥର ପାଇଁ ଜେଏନୟୁର କୌଣସି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ ହେବା ଓ ସ୍ବାମୀ ବିବେକାନନ୍ଦ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା କୌଣସି ସଂଯୋଗ ନୁହେଁ ଏକ ସୁ-ଚିନ୍ତିତ ରଣନୀତି । ରଣନୀତି ଅନୁସାଯାୟୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବାମପନ୍ଥୀଙ୍କ ବିରୋଧରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି କିନ୍ତୁ ଯେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶବ୍ଦ ବାମପନ୍ଥୀଙ୍କ ବିରୋଧରେ ତିଲା ତାହାର ସ୍ପଷ୍ଟ ସଂକେତ ସାମନାକୁ ଆସିଛି ।
ଜେଏନୟୁରେ ସ୍ବାମୀ ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବା ଏକ ଦୀର୍ଘଦିନର ଯୋଜନା । ଯାହା କରିବା ପାଇଁ କ୍ୟାମ୍ପସରେ ଅନେକ ଧରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଉଦ୍ୟମ କରିଆସୁଥିଲା । ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମା ବର୍ଷ 2005 ରେ ସ୍ଥାପନ କରିବା ପାଇଁ ଦାବି ହୋଇଥିଲା । ସେହି ବର୍ଷ କ୍ୟାମ୍ପସରେ ଜବାହାର ଲାଲ ନେହେରୁ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିଲା । କିନ୍ତୁ ଏବିଭିପିର ଦାବି ପୂରଣ ହୋଇଥିଲା 2016 ରେ । ଯେତେବେଳେ ପ୍ରଫେସର ଏମ. ଜଗଦୀଶ କୁମାର ଜେଏମୟୁର ଭାଇସ ଚାନସେଲର ଭାବେ ନିଯୁକ୍ତି ପାଇଥିଲେ । ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିବା ପ୍ରତିମୂର୍ତ୍ତି ର ନିର୍ମାଣ 2018 ରୁ ଶେଷ ହୋଇଯାଇଥିଲା । କିନ୍ତୁ ଉନ୍ମୋଚନକୁ ଅପେକ୍ଷା କରାଯାଇଥିଲା ।
ବାମପନ୍ଥୀ ଛାତ୍ର ସଂଗଠନ ଏହି ମୂର୍ତ୍ତି ନିର୍ମାଣ ଓ ସ୍ଥାପନକୁ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଥିଲା । ଏପରିକି ଲାଇବ୍ରେରୀ ପାଇଁ ଆସିଥିବା ଟଙ୍କା ମୂର୍ତ୍ତି ନିର୍ମାଣରେ ଖର୍ଚ୍ଚ ହେଉଥିବା ବାମପନ୍ଥୀ ଛାତ୍ର ସଂଗଠନ ଅଭିଯୋଗ କରିଥିଲେ । ଅଭିଯୋଗକୁ ଖଣ୍ଡନ କରି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କହିଥିଲେ ମୂର୍ତ୍ତି ନିର୍ମାଣରେ ପୂର୍ବତନ ଛାତ୍ରଙ୍କ ସହାୟତା ରହିଛି ।
ବର୍ତ୍ତମାନ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ବିଜେପି ଗୋଟିଏ ଗୁଳିରେ 2 ଟି ଶୀକାର କରିବା ଯୋଜନାରେ ଅଛି । ପ୍ରଥମତଃ ଜେଏନୟୁ ହେଉଛି ବାମପନ୍ଥୀଙ୍କ ଗଡ । ଯାହାଙ୍କ ବିଚାରଧାରା ସ୍ବାମୀ ବିବେକାନନ୍ଦଙ୍କ ବିଚାରଧାରା ସହ ମେଳ ଖାଉନାହିଁ । ଦ୍ବିତୀୟରେ ପଶ୍ଚିମବଙ୍ଗରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନରେ ବିଜୟୀ ହୋଇ ଶାସନ ଦଖଲ ଲକ୍ଷ୍ୟରେ ବିଜେପି କାମ କରୁଛି । ଆଉ ସ୍ବାମୀ ବିବେକାନନ୍ଦ ହେଉଛନ୍ତି ବଙ୍ଗ ଅସ୍ମିତାର ପ୍ରତୀକ । ସଦା ସର୍ବଦା ପ୍ରଧାନମନ୍ତ୍ରୀ ସ୍ବାମୀ ବିବେକାନନ୍ଦଙ୍କ ବିଚାରଧାରା ଶିକ୍ଷା ବାଣୀକୁ ଆଦର୍ଶ ମାନନ୍ତି ଓ ସର୍ବସାଧାରଣରେ ପ୍ରକାଶ କରନ୍ତି । ଫଳରେ ଜେଏନୟୁରେ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ହେବା ବିଜେପି ଓ ସଂଘ ପାଇଁ ବଡ ଉପଲବ୍ଧି । ସଂଘ ରାଷ୍ଟ୍ରବାଦ ସାଂସ୍କୃତିକ କୁ ନିଜର ବିଚାରଧାରା ମାନୁଥିବା ବେଳେ ବିଜେପି ମଧ୍ୟ ସେହି ଧାରାରେ ଚାଲିଛି । ଫଳରେ ଏବେ ଜେଏନୟୁ ଓ ବେଙ୍ଗଲରେ ବାମପନ୍ଥୀଙ୍କୁ ସଫା କରିବା ପାଇଁ ବିଜେପି ବଡ ଅସ୍ତ୍ର ପ୍ରୟୋଗ କରିଥିବା କୁହାଯାଉଛି ।