କୋଲକାତା: ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ହିଂସା ଓ ଅରାଜକତା ସୃଷ୍ଟି କରିବା ସହ ସରକାରୀ କ୍ଷମତାର ଅପ ବ୍ୟବହାର କରି ଶାସନରେ ରହିବାକୁ ଚାହୁଁଛନ୍ତି । ତେଣୁ ସମଗ୍ର ପଶ୍ଚିମବଙ୍ଗରେ ଏବେ ଆଇନ ଶୃଙ୍ଖଳା ଭୁଷିଡିବା ସହ ହିଂସା ଓ ଆତଙ୍କର ଗଡରେ ପରିଣତ ହୋଇଛି । ରାଜ୍ୟ ପୋଲିସ ମଧ୍ୟ ମମତା ସରକାରର ଗୁଣ୍ଡା ବାହିନୀ ପରି କାମ କରୁଛି । ତେଣୁ ତୁରନ୍ତ ରାଜ୍ୟରେ କେନ୍ଦ୍ରୀୟ ସୁରକ୍ଷା ବଳ ନୁତୟନ କରିବା ପାଇଁ ଦାବି କରିଛନ୍ତି ପଶ୍ଚିମବଙ୍ଗ ବିଜେପିର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟବର୍ଗୀୟ ।
ଆସନ୍ତା ବର୍ଷ ଏପ୍ରିଲରୁ ମେ ମେ’ ମଧ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏଭଳି ପରିସ୍ଥିତି ଲାଗି ରହିଲେ କେବେ ବି ଶାନ୍ତିଶୃଙ୍ଖଳା ଓ ନିରପେକ୍ଷ ନିର୍ବାଚନ ସମ୍ଭବ ନୁହେଁ ବୋଲି କହିଛି ଭାଜପା । ମମତା ବାନାର୍ଜୀ କ୍ଷମତାରେ ଥିଲେ ସୁଦ୍ଧା ତାଙ୍କ ପାଦ ତଳୁ ମାଟି ଖସୁଥିବା ସେ ଜାଣିଛନ୍ତି । ତେଣୁ କ୍ଷମତା ବଞ୍ଚାଇବା ପାଇଁ ସେ ହିଂସାର ଓ ଅରାଜକତାର ଆଶ୍ରୟ ନେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ତେଣୁ ନିର୍ବାଚନ ପୂର୍ବରୁ ରାଜ୍ୟରେ କେନ୍ଦ୍ରୀୟ ସାମରିକ ବଳ ମୁତୟନ କରାଯିବାର ଆବଶ୍ୟକତା ଥିବା ସେ ନିର୍ବାଚନ କମିଶନକୁ ଜଣାଇଥିବା ମଧ୍ୟ କହିଛନ୍ତି କୈଳାସ ।