ହାଇଦ୍ରାବାଦ:ଗ୍ରେଟର ହାଇଦ୍ରାବାଦ ପୌରନିର୍ବାଚନ ପାଇଁ ବିଜେପିର ଜୋରଦାର ପ୍ରଚାର । ନିର୍ବାଚନରେ ବାଜିମାତ କରିବାକୁ ଚାଲିଛି ରଣନୀତି । ବିଜେପିର ହେଭିୱେଟ୍ ଆସି ପ୍ରଚାରର ମଙ୍ଗ ଧରୁଥିବାବେଳେ ଆଜି ଦଳ ତାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ଏଥିରେ ଦଳ କ୍ଷମତାକୁ ଆସିଲେ ମାଗଣା ଜଳ ଓ ବିଦ୍ୟୁତ ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି ।
ସେହିପରି ନିକଟରେ ଲଗାଣ ବର୍ଷାରେ କ୍ଷତି ସହିଥିବା ପରିବାରକୁ 25000ଟଙ୍କାର ଅନୁକମ୍ପା ଦେବାକୁ ମଧ୍ୟ ଏଥିରେ ଉଲ୍ଲେଖ ରହିଛି । 100 ୟୁନିଟ୍ ତଳକୁ କମ୍ ବିଦ୍ୟୁତ୍ ଖର୍ଚ୍ଚ କରୁଥିବା ବିଦ୍ୟୁତ୍ ଗ୍ରାହକଙ୍କୁ ମାଗଣାରେ ବିଦ୍ୟୁତ୍ ଯୋଗାଇଦେବା, ସିଟି ବସ ଓ ମେଟ୍ରୋରେ ମହିଳାମାନଙ୍କୁ ମାଗଣାରେ ଯାତ୍ରା କରାଇବାକୁ ବି ପ୍ରତିଶ୍ରୁତି ଦେଇଛି ବିଜେପି ।
ଏହାସହ ପିଇବା ପାଣି, ପ୍ରତିବର୍ଷ 3ଟି ମହିଳା ପୋଲିସ ଷ୍ଟେସନ, ମହିଳାଙ୍କ ପାଇଁ ଗୋଟିଏ କିଲୋମିଟରରେ ଟଏଲେଟ, ଛାତ୍ରଛାତ୍ରୀଙ୍କୁ ପଢିବା ପାଇଁ ମାଗଣାରେ ଟାବଲେଟ୍ ଆଦି ଯୋଗାଇଦେବା ପାଇଁ ବିଜେପି ପ୍ରତିଶ୍ରୁତି ଦେଇଛି । ଗୁରୁବାର, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହାକୁ ଉନ୍ମୋଚନ କରିଥିବାବେଳେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଜି କିଶାନ ରେଡ୍ଡୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।