ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ଆଜି 16 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଏହି ତାଲିକାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ରହିଛନ୍ତି । କର୍ଣ୍ଣାଟକରୁ ନିର୍ମଳାଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ମହାରାଷ୍ଟ୍ରରୁ ଗୋୟଲଙ୍କୁ ପ୍ରାର୍ଥୀ କରାଯାଇଛି । ଆସନ୍ତା ମାସ 10 ତାରିଖରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ମୋଟ 15 ରାଜ୍ୟର 57 ଆସନରେ ନିର୍ବାଚନ ହେବ ।
ସେହିପରି ସଂଖ୍ୟାଲଘୁ ମନ୍ତ୍ରୀ ମୁଖତାର ଆବାସ ନକଭିଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଥିବା ବେଳେ ଏହି ପର୍ଯ୍ୟାୟ ତାଲିକାରେ ତାଙ୍କ ନାମ ସାମିଲ କରିନାହିଁ ଦଳ । ଚଳିତ ରାଜ୍ୟସଭା ନିର୍ବାଚନରେ ସର୍ବାଧିକ 11ଟି ସିଟ୍ ଉତ୍ତରପ୍ରଦେଶର ରହିଛି । ବିଜେପି ଉତ୍ତରପ୍ରଦେଶର ଲକ୍ଷ୍ମୀକାନ୍ତ ବାଜପେୟୀ, ରାଧା ମୋହନ ଅଗ୍ରୱାଲ, ସୁରେନ୍ଦ୍ର ନାଗର, ବାବୁରାମ ନିଶାଦ, ଦର୍ଶନା ସିଂ ଓ ସଂଗୀତା ଯାଦବଙ୍କୁ ପ୍ରାର୍ଥୀ ତାଲିକାରେ ସ୍ଥାନ ଦେଇଛି ।