ରାୟପୁର:ଦୁଇଟି ପର୍ଯ୍ୟାୟରେ ଭୋଟିଂ ହେବାକୁ ଯାଉଥିବା କଂଗ୍ରେସ ଶାସିତ ଛତିଶଗଡ ପାଇଁ ଆଜି 4ର୍ଥ ତଥା ଅନ୍ତିମ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା ସମ୍ପୂର୍ଣ୍ଣ କରିଛି ଭାରତୀୟ ଜନତା ପାର୍ଟି । ଆଜି ଶେଷ ପର୍ଯ୍ୟାୟରେ ପାର୍ଟି ଅବଶିଷ୍ଟ 4 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବହୁଚର୍ଚ୍ଚିତ ଅମ୍ବିକାପୁର ଆସନରୁ ଦଳ ରାଜେଶ ଅଗ୍ରଓ୍ବାଲଙ୍କୁ ଟିକେଟ ଦେଇଛି । ଏହି ଆସନ ଏବେ କଂଗ୍ରେସର ଅନ୍ୟତମ ହେଭିଓ୍ବେଟ ତଥା ଉପମୁଖ୍ୟମନ୍ତ୍ରୀ ଟି.ଏନ ସିଂଦେଓଙ୍କ ଦଖଲରେ ରହିଛି ।
ଆଜି ଶେଷ ପର୍ଯ୍ୟାୟରେ ଦଳ ବେଲତାରାରୁ ସୁଶାନ୍ତ ଶୁକ୍ଳା, କାଶଦୋଲ ଆସନରୁ ଧନୀରାମ ଧିବର, ବେମେତାରା ଆସନରୁ ଦିପେଶ ସାହୁ ଓ ଅମ୍ବିକାପୁର ଆସନରୁ ରାଜେଶ ଅଗ୍ରଓ୍ବାଲଙ୍କୁ ଟିକେଟ ଦେଇଛି । ଏହି ପର୍ଯ୍ୟାୟ ସୁଦ୍ଧା ଦଳ ସମସ୍ତ 90 ଆସନରେ ପ୍ରାର୍ଥୀ ଘୋଷଣା ମଧ୍ୟ ସମ୍ପୂର୍ଣ୍ଣ କରିଛି ।
ପ୍ରଥମ ପର୍ଯ୍ୟାୟରେ ଦଳ 21 ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ଏହି ପର୍ଯ୍ୟାୟରେ ଦଳ ଲୋକସଭା ସାଂସଦ ବିଜୟ ବଘେଲଙ୍କୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବିରୋଧରେ ପ୍ରାର୍ଥୀ କରିଥିଲା । ଦୁର୍ଗ ଜିଲ୍ଲାର ପାଟନ ବିଧାନସଭା ଆସନରୁ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭୂପେଶ ବଘେଲ ଓ ବିଜେପି ସାଂସଦ ବିଜୟ ବଘେଲଙ୍କ ମଧ୍ୟରେ କଡା ମୁକାବିଲା ହେବାକୁ ଯାଉଛି । ସେହିପରି ଆଜି ଶେଷ ପର୍ଯ୍ୟାୟରେ ଦଳ କଂଗ୍ରେସର ଆଉ ଜଣେ ହେଭିଓ୍ବେଟ ତଥା ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଟି.ଏନ ସିଂଦେଓଙ୍କ ବିରୋଧରେ ଅମ୍ବିକାପୁର ଆସନରୁ ରାଜେଶ ଅଗ୍ରାଓ୍ବାଲଙ୍କୁ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛି ।