ନୂଆଦିଲ୍ଲୀ: ୨୦୨୪ରେ ମୋଦି ସରକାରଙ୍କୁ ହଟାଇବାକୁ ରଣନୀତି ପ୍ରସ୍ତୁତି ପରିପ୍ରେକ୍ଷୀରେ ଆଜି ମୁମ୍ବାଇରେ ପୁଣିଥରେ ଏକାଠି ହେଉଛନ୍ତି ବିରୋଧୀ ଦଳ । ଏହାକୁ କଟାକ୍ଷ କରି ବିଜେପି ଏହାର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ Xରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ପୋଷ୍ଟର ପୋଷ୍ଟ କରିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀଙ୍କୁ 'ଟର୍ମିନେଟର' ଲୁକ୍ରେ ଦେଖିବାକୁ ମିଳିଛି । ପୋଷ୍ଟରରେ ମୋଦିଙ୍କୁ ହଲିଉଡ୍ ଫିଲ୍ମ 'ଟର୍ମିନେଟର' ଚରିତ୍ର ଭାବେ ଦର୍ଶାଯାଇଛି । ମୋଦିଙ୍କୁ ଟର୍ମିନେଟର ରୂପେ ଦର୍ଶାଇ ଲେଖାଯାଇଛି, '୨୦୨୪, ଆଇ ୱିଲ୍ ବି ବ୍ୟାକ ଅର୍ଥାତ୍ ମୁଁ ଫେରିବି' ।
ବିଜେପିର ଏହାକୁ ପୋଷ୍ଟ କରି ଲେଖିଛି କି, ''ବିରୋଧୀ ଭାବୁଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହରାଇ ଦିଆଯାଇପାରିବ । ସ୍ବପ୍ନ ଦେଖିଚାଲ ! ଟର୍ମିନେଟର ସବୁବେଳେ ଜିତେ ।'' ତେବେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକ ମଧ୍ୟରେ ନିର୍ବାଚନୀ ମୈଦାନ ସହ ସୋସିଆଲ ମିଡିଆରେ ମଧ୍ୟ ଲଢେଇ ଜାରି ରହିଛି । ଶାସକ ଓ ବିରୋଧୀ ଦଳ ଉଭୟ ପରସ୍ପର ବିରୋଧୀ ପୋଷ୍ଟର, କାର୍ଟୁନ, ଭିଡିଓ ଜରିଆରେ ପରସ୍ପରକୁ ଟାର୍ଗେଟ କରୁଛନ୍ତି । ବିଶେଷକରି ବିଜେପି ଓ କଂଗ୍ରେସ ମଧ୍ୟରେ ଏହି ଲଢେଇ ଅଧିକ ଦେଖିବାକୁ ମିଳୁଛି ।