କୋଲକାତା:ବିଜେପି ପୁଲିଂ ଏଜେଣ୍ଟକୁ ପରିସ୍ରା ପିଆଇଲେ ତୃଣମୂଳ କଂଗ୍ରେସ କର୍ମୀ । ପ୍ରଥମେ ଡକାଇ ନିସ୍ତୁକ ମାଡ ମାରିଲେ ଓ ପାଣି ପିଇବାକୁ ପଚାରି ପରିସ୍ରା ପିଆଇଲେ । ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ପୀଡିତ ବିଜେପି କର୍ମୀ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଟିଏମସି ପକ୍ଷରୁ ଏହାକୁ ଖଣ୍ଡନ କରାଯିବା ସହ ଗାଁ ବିବାଦରୁ ଏହି ଅମାନବୀୟ କାର୍ଯ୍ୟ ଘଟିଥାଇପାରେ ବୋଲି କୁହାଯାଇଛି । ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଛି ।
ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନରେ ପୀଡିତ ବିଜେପି କର୍ମୀ ପୁଲିଂ ଏଜେଣ୍ଟ ଭାବେ କାମ କରୁଥିଲେ । ମୈତ ଅଞ୍ଚଳରେ ସେ ଡ୍ୟୁଟି କରୁଥିଲେ । ତାଙ୍କର ଅଭିଯୋଗ ଅନୁଯାୟୀ, ଗତ ଗୁରୁବାର ଅପରାହ୍ନରେ କିଛି ଟିଏମସି କର୍ମୀ ତାଙ୍କୁ କଥାବର୍ତ୍ତା ପାଇଁ ଡକାଇଥିଲେ । ପ୍ରଥମେ ସେ ଯିବାକୁ ମନା କରିଦେଇଥିଲେ । ହେଲେ କିଛି ସମୟ ପାଇଁ ଆସିବାକୁ ସେମାନେ ବାଧ୍ୟ କରିବାରୁ ବିଜେପି କର୍ମୀ ଯାଇଥିଲେ । ଏହାପରେ ଦୁଇ ଜଣ ଟିଏମସି କର୍ମୀ ତାଙ୍କୁ ଧରି ପାର୍ଟି ଅଫିସ ପାଖକୁ ନେଇ ଯାଇଥିଲେ ଏବଂ କାହିଁକି ସେ ବିଜେପି ପୁଲିଂ ଏଜେଣ୍ଟ ହୋଇଛନ୍ତି ବୋଲି ପଚାରି ଥିଲେ ।
ସେ ନିଜକୁ ବିଜେପି ସମର୍ଥକ କହିବାରୁ ଶାସକ ଦଳ କର୍ମୀମାନେ ତାଙ୍କୁ ତଳେ ପକାଇ ଖୁବ୍ ମାଡ ମାରିଥିଲେ । ଏହାପରେ ମଇଳା ପାଣି ଓ ଗୋଟିଏ ଗ୍ଲାସ ପରିସ୍ରା ଆଣି ତାଙ୍କୁ ଜୋର ଜବରଦସ୍ତ ପିଆଇବାକୁ ଚେଷ୍ଟା କରିଥିଲେ । ଏହାକୁ ପ୍ରତିବାଦ କରିବାରୁ ତାଙ୍କୁ ମାଡ ମାରି ମୁହଁକୁ ପରିସ୍ରା ଫିଙ୍ଗିଥିଲେ ।