ବେଙ୍ଗାଲୁରୁ:କର୍ଣ୍ଣାଟକର ବିଜେପି ବିଧାୟକ ଶ୍ରୀମନ୍ତ ପାଟିଲଙ୍କ ବିସ୍ଫୋରକ ବୟାନ । ଯାହାକୁ ରାଜ୍ୟ ବିଜେପି ପାଇଁ ସୃଷ୍ଟି କରିଛି ଲଜ୍ଜାଜନକ ପରିସ୍ଥିତି । ଦଳରେ ଯୋଗ ଦେବା ପାଇଁ ବିଜେପି ଶ୍ରୀମନ୍ତଙ୍କୁ ଟଙ୍କା ଯାଚିଥିଲା ବୋଲି ସେ କହିଛନ୍ତି । ଶ୍ରୀମନ୍ତ ପୂର୍ବରୁ କଂଗ୍ରେସରେ ଥିଲେ ।
ଶ୍ରୀମନ୍ତଙ୍କ କହିବାନୁସାରେ, ସେ କଂଗ୍ରେସରେ ଥିବା ସମୟରେ ବିଜେପି ତାଙ୍କୁ ଅର୍ଥର ପ୍ରଲୋଭନ ଦେଖାଇ ଦଳରେ ସାମିଲ ହେବା ପାଇଁ କହିଥିଲେ । ଏହି ସମୟରେ ଶ୍ରୀମନ୍ତ ଏକ ସର୍ତ୍ତ ରଖିଥିଲେ । ତେବେ ବିଜେପିରେ ତାଙ୍କୁ ଉଚ୍ଚ ପଦବୀ ଦିଆଗଲେ ସେ କଂଗ୍ରେସ ଛାଡିବେ ବୋଲି କହିଥିଲେ । ତେବେ ବିଜେପି ମଧ୍ୟ ଏଥିରେ ସହମତି ପ୍ରକାଶ କରିଥିଲା ଏବଂ ତାଙ୍କୁ ମନ୍ତ୍ରୀ ପଦ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା । ତେବେ ବର୍ତ୍ତମାନ ବୋମାଇ ସରକାର ତାଙ୍କଠାରୁ ମନ୍ତ୍ରୀ ପଦ ଛଡ଼ାଇ ନେଇଥିବାରୁ ଶେଷରେ ମୁହଁ ଖୋଲିଛନ୍ତି ଶ୍ରୀମନ୍ତ ।
ଗତ ସେପ୍ଟେମ୍ବର ୧୧ ତାରିଖରେ ସେ ବେଲାଗଭି ଜିଲ୍ଲା କାଗୱାଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ଏ ସମ୍ପର୍କରେ କହିଛନ୍ତି । ଶ୍ରୀମନ୍ତଙ୍କ ଏହି ବୟାନ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକି ରାଜ୍ୟ ରାଜନୀତିକୁ ସରଗରମ କରିଛି । ଶ୍ରୀମନ୍ତଙ୍କ ଏହି ବୟାନ ବର୍ତ୍ତମାନ ରାଜ୍ୟର ଶାସକ ଦଳ ବିଜେପି ପାଇଁ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି ।
'ଅପରେସନ କମଳ' ଆପଣାଇଛି ବିଜେପି: କଂଗ୍ରେସ
ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ କଂଗ୍ରେସ ବିଜେପିକୁ ଘେରିଛି । ବିଜେପି ରାଜନୀତିରେ କମଳ(Lotus) ଅପରେସନ ଆରମ୍ଭ କରିଛି । ଶ୍ରୀମନ୍ତ ପାଟିଲ ସତ କହିଛନ୍ତି । ଏଥିଲାଗି ସେ ଶ୍ରୀମନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦୁର୍ନୀତି ନିବାରଣ ବ୍ୟୁରୋ (ACB) ଏ ସମ୍ପର୍କରେ ତୁରନ୍ତ ଯାଞ୍ଚ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉ ବୋଲି କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି (KPCC) ସଭାପତି ଡି.କେ ଶିବାକୁମାର କହିଛନ୍ତି ।