ଓଡିଶା

odisha

ETV Bharat / bharat

ବିଜେପିକୁ ଝଟକା, 4 ବର୍ଷ ପରେ TMC କ୍ୟାମ୍ପକୁ ଫେରିଲେ ମୁକୁଲ ରାୟ

ଭାରତୀୟ ଜନତା ପାର୍ଟିକୁ ଝଟକା ଦେଇ ଘର ବାହୁଡିଛନ୍ତି ମୁକୁଲ ରାୟ । ବିଜେପି ରାଷ୍ଟ୍ରୀୟ ଉପସଭାପତି ଥିବା ମୁକୁଲ ରାୟ ନିଜ ପୁଅ ଶୁଭ୍ରାଂଶୁ ରାୟଙ୍କ ସହ ପୁଣି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ...

ବିଜେପିକୁ ଝଟକା, 4 ବର୍ଷ ପରେ ତୃଣମୂଳ ଶିବିରକୁ ମୁକୁଲଙ୍କ ପ୍ରତ୍ୟାବର୍ତ୍ତନ
ବିଜେପିକୁ ଝଟକା, 4 ବର୍ଷ ପରେ ତୃଣମୂଳ ଶିବିରକୁ ମୁକୁଲଙ୍କ ପ୍ରତ୍ୟାବର୍ତ୍ତନ

By

Published : Jun 11, 2021, 5:10 PM IST

Updated : Jun 11, 2021, 6:00 PM IST

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ବଡ ହଲଚଲ । ଭାରତୀୟ ଜନତା ପାର୍ଟିକୁ ଝଟକା ଦେଇ ଘର ବାହୁଡିଛନ୍ତି ମୁକୁଲ ରାୟ । ବିଜେପିର ରାଜ୍ୟ ଉପସଭାପତି ଥିବା ମୁକୁଲ ରାୟ ନିଜ ପୁଅ ଶୁଭ୍ରାଂଶୁ ରାୟଙ୍କ ସହ ପୁଣି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ମୁକୁଲ 2017ରେ ଟିଏମସି ଛାଡି ପଦ୍ମ ଧରିଥିଲେ ।

ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କୁ ମିଳିଥିବା ବୃହତ ବିଜୟ ପରେ ଅନେକ ପୁରୁଣା ସହଯୋଗୀ ତୃଣମୂଳ ଶିବିରକୁ ଫେରିବାକୁ ଚାହୁଁଛନ୍ତି । ଏଥିରେ ମୁକୁଲ ରାୟଙ୍କ ନାଁ ସବୁଠୁ ଆଗରେ ରହିଥିଲା । ବିଜେପିରେ ଶୁଭେନ୍ଦୁ ଅଧିକାରୀଙ୍କ ଶକ୍ତି ବୃଦ୍ଧିକୁ ଦେଖି ମୁକୁଲ ବିଚଳିତ ହୋଇପଡିଥିବା କୁହାଯାଉଥିଲା । ଏହି କାରଣରୁ ସେ ନିଜ ପୁରୁଣା ଠିକଣାକୁ ଫେରିଥିବା ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ମୁକୁଲ ରାୟ, କୃଷ୍ଣାନଗର ଉତ୍ତର ଆସନରୁ ଇସ୍ତଫା ଦେବେ । ସେ ଏହି ଆସନରୁ ବିଧାୟକ ନିର୍ବାଚିତ ହୋଇଛନ୍ତି । ବିଜେପି ଛାଡିବା ପରେ ମୁକୁଲ ରାୟଙ୍କ ପୁଅ ଶୁଭ୍ରାଂଶୁ ରାୟ ଏଠାରୁ ତୃଣମୂଳ କଂଗ୍ରେସ ଟିକେଟରୁ ନିର୍ବାଚନ ଲିଢିପାରନ୍ତି ।

ନିର୍ବାଚନ ପୂର୍ବରୁ ମୁକୁଲ ଟିଏମସିକୁ ଆସିବାକୁ ଚାହୁଁଥିଲେ । ହେଲେ ସରଗରମ ନିର୍ବାଚନୀ ମାହୋଲରେ ପଶ୍ଚିମବଙ୍ଗରେ ବିଜେପି ଲହରୀକୁ ଦେଖି ଅଟକିଥିଲେ ମୁକୁଲ । ପରେ ବଙ୍ଗଲ ଦଖଲ କରିବାରେ ବିଫଳ ହୋଇଥିଲା ବିଜେପି । ଆଉ ପୁଣି ତୃଣମୂଳ କଂଗ୍ରେସ ଫେରିବାକୁ ଚାହିଁଥିଲେ ରାୟ ।

ତୃଣମୂଳ କଂଗ୍ରେସ ନେତା ସୌଗତ ରାୟ ମୁକୁଲଙ୍କ ଘରବାହୁଡା ନେଇ ଦେଇଥିଲେ ସଙ୍କେତ । ଟିଏମସି ନେତା ସୌଗତ ରାୟ କହିଥିଲେ, ଏମିତି ଅନେକ ନେତା ମମତାଙ୍କ ପୁତୁରା ଅଭିଷକ ବାନାର୍ଜୀଙ୍କ ସମ୍ପର୍କରେ ଅଛନ୍ତି ଓ ଟିଏମସି ଫେରିବାକୁ ଚାହୁଁଛନ୍ତି ।

ନିକଟରେ କୋଲକାତାରେ ହୋଇଥିବା ବିଜେପିର ବୈଠକରେ ପହଁଞ୍ଚିନଥିଲେ ମୁକୁଲ ରାୟ । ଏହାପରେ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ମୁକୁଲ ରାୟଙ୍କ ସ୍ତ୍ରୀଙ୍କୁ ଭେଟିବାକୁ ହସ୍ପିଟାଲ ଯାଇଥିଲେ । ଏହି ଦୁଇଟି ଘଟଣାକ୍ରମ ପରେ ମୁକୁଲ ରାୟ ବିଜେପି ଛାଡିପାରନ୍ତି ବୋଲି ଅନୁମାନ କରାଯାଉଥିଲା ।

ପୂର୍ବରୁ ଦଳ ବିରୋଧୀ ଗତିବିଧି ଅଭିଯୋଗରେ ମୁକୁଲ ରାୟଙ୍କୁ 6 ବର୍ଷ ବହିଷ୍କାର କରିଦେଇଥିଲା ତୃଣମୂଳ କଂଗ୍ରେସ । ଟିଏମସିରେ ମୁକୁଲ ରାୟଙ୍କ ବେଶ ଦବଦବା ରହିଥିଲା । ହେଲେ ସେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିଲେ । ମୁକୁଲ ରାୟ ଟିଏମସି ଛାଡିଥିବା ପ୍ରଥମ ନେତା ଥିଲେ ।

ମୁକୁଲ ରାୟ 1998ରୁ ବଙ୍ଗ ରାଜନୀତିରେ ସକ୍ରିୟ ରହିଛନ୍ତି । ନାରଦା ଷ୍ଟିଙ୍ଗ ମାମଲାରେ ମଧ୍ୟ ଆସିଥିଲା ମୁକୁଲ ରାୟଙ୍କ ନାଁ । ଯୁବ କଂଗ୍ରେସରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ ମୁକୁଲ । ଏହି ସମୟରେ ମମତା ବାନାର୍ଜୀ ମଧ୍ୟ ଯୁବ କଂଗ୍ରେସରେ ଥିଲେ । ସେବେଠୁ ମୁକୁଲ ଆଉ ମମତାଙ୍କ ମଧ୍ୟରେ ରାଜନୈତିକ ଘନିଷ୍ଠତା ବଢିଥିଲା ।

ନିଜ ବାପାଙ୍କ ପଛେପଛେ ପୁଅ ଶୁଭ୍ରାଂଶୁ ମଧ୍ୟ ବିଜେପିରେ ସାମିଲ ହୋଇଯାଇଥିଲେ । ବିଜେପି ଶୁଭ୍ରାଂଶଙ୍କୁ ଟିକଟ ଦେଇଥିଲା । ହେଲେ ସେ ନିର୍ବାଚନରେ ହାରିଯାଇଥିଲେ । ଏବେ ପୁଣି ବାପାଙ୍କ ସାଙ୍ଗରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି ଶୁଭ୍ରାଂଶୁ ।

Last Updated : Jun 11, 2021, 6:00 PM IST

ABOUT THE AUTHOR

...view details