ତୁମ ହୈ ବତାଓ ୟହ୍ ମୋହରମ ହୁଇ କି ଇୈଦ୍: ସୁଧାଂଶୁ ତ୍ରିବେଦୀ ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେବା ପରେ ଆଜି ବହୁଚର୍ଚ୍ଚିତ ‘ଦିଲ୍ଲୀ ସେବା ଅଧ୍ୟାଦେଶ ବିଲ’ ଆଜି ଉଚ୍ଚସଦନ ରାଜ୍ୟସଭାରେ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିଲ ଆଗତ ପରେ ରାଜ୍ୟସଭାରେ ବିଲକୁ ନେଇ ଜାରି ରହିଛି ବିତର୍କ । ବିଜେପି, କଂଗ୍ରେସ ଏନସିପି, ଶିବସେନା, ଆରଜେଡି, ଆମ ଆଦମୀ ପାର୍ଟି, ଟିଏମସି, ବିଜେଡି, ବିଆରଏସ, ଡିଏମକେ, ଆଇଏଡିଏମକେ, ଏସପି, ଟିଡିପି ଦଳ ବିତର୍କରେ ଭାଗ ନେଇଛନ୍ତି । ବିଲକୁ ନେଇ ଜୋରଦାର ବିତର୍କ ହୋଇଛି ରାଜ୍ୟସଭାରେ ।
ଏହାବି ପଢନ୍ତୁ- LokSabha: ଡିଜିଟାଲ ଡାଟା ପ୍ରୋଟେକସନ ବିଲ 2023କୁ ବିଜେଡିର ସମର୍ଥନ
କଂଗ୍ରେସ ପକ୍ଷରୁ ଆଲୋଚନାରେ ଅଶଂଗ୍ରହଣ କରି ବରିଷ୍ଠ ସାଂସଦ ଅଭିଷେକ ମନୁ ସିଂଘଭୀ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଥିଲେ । ସିଂଘଭୀ କହିଥିଲେ ‘‘ ଏହି ବିଲ ଏକ ନିର୍ବାଚିତ ସରକାରର ଅଧିକାର ଛିନ୍ନ କରିବ । ବିଲ ସଂଘୀୟ ବ୍ୟବସ୍ଥାର ବିରୋଧୀ । ବିଲ ପାସ ହେଲେ ଦିଲ୍ଲୀର ନିର୍ବାଚିତ ମୁଖ୍ୟମନ୍ତ୍ରୀ 2 ଜଣ ସଚିବଙ୍କ ଅଧିନକୁ ଆସିଯିବେ । ସଚିବ ନିଷ୍ପତି ନେବେ । ମୁଖ୍ୟମନ୍ତ୍ରୀ କେବଳ ଅନୁମୋଦନ ଦେବେ । ମୁଖ୍ୟମନ୍ତ୍ରୀଙ୍କ ପାଖରେ କୌଣସି ବିକଳ୍ପ ରହିବ ନାହିଁ । ଏକାଧିକ ଶାୟରୀ ପ୍ରୟୋଗ କରି କେନ୍ଦ୍ର ସରକାରଙ୍କୁ ନିଶାନ କରିଥିଲେ। ଏପରିକି ବିଲ ପାସ ହେଲେ ଦିଲ୍ଲୀର ବୋର୍ଡ, କମିଟି, ବିଭିନ୍ନ ବିଭାଗ ସହ ପୁରା ସରକାର ଗୃହମନ୍ତ୍ରଣାଳୟ ଅଧିନକୁ ଆସିଯିବ। ଗୃହମନ୍ତ୍ରୀ ହୋଇଯିବେ ‘ସୁପର ବୋସ’ ବୋଲି କଟାକ୍ଷ କରିଥିଲେ । ଦିଲ୍ଲୀ ସର୍ଭିସ ବିଲ କେବଳ ଭୟଭୀତ ପାଇଁ ଉଦିଷ୍ଟ ବୋଲି ଅଭିଯୋଗ କରି ସିଂଘଭୀ କହିଥିଲେ... ଏହି ବିଲକୁ ଯେଉଁମାନେ ସମର୍ଥନ ଘୋଷଣା କରିଛନ୍ତି, ଅବା କରିବାକୁ ଯାଉଛନ୍ତି ସେମାନେ ଚିନ୍ତା କରିବା ଦରକାର ଯେ ତାଙ୍କରି ସମୟ ମଧ୍ୟ ଆସିପାରେ ।
ଏହାବି ପଢନ୍ତୁ- Delhi services ordinance: ରାଜ୍ୟସଭାରେ ଆଗତ କଲେ ଶାହ, ଚର୍ଚ୍ଚା ଜାରି
ସେପଟେ ବରିଷ୍ଠ ସାଂସଦ ଅଭିଷେକ ମନୁ ସିଂଘଭୀଙ୍କ ପରେ ପରେ ବିଲକୁ ନେଇ ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀଙ୍କ ପାଳି ପଡିଥିଲା । ସୁଧାଂଶୁ ଭିନ୍ନ ଅନ୍ଦାଜରେ ଅଭିଷେକ ମନୁ ସିଂଘଭୀଙ୍କୁ ଟାର୍ଗେଟ କରିବା ସହ, ଆମ ଆଦମୀ ପାର୍ଟି ଓ କଂଗ୍ରେସକୁ ଶାଣିତ ସ୍ବରରେ ପ୍ରହାର କରିଥିଲେ । ସୁଧାଂଶୁ କଂଗ୍ରେସ ଆମ ଆଦମୀ ପାର୍ଟିର ସମ୍ପର୍କକୁ ନେଇ ଶାୟରୀରେ ସମାଲୋଚନା କରି କହିଥିଲେ ... ନା ତୁମ ଆଏ, ନା ତୁହ୍ମାରୀ ଦୀଦ ହୁଇ, ତୁମ ହୈ ବତାଓ ୟହ ମୋହରମ ହୁଇ କି ଇଦ୍ ହୁଇ୍... ସେହିପରି ସୁଧାଂଶୁ ଆପକୁ ସମାଲୋଚନା କରି କହିଥିଲେ କୋର୍ଟଙ୍କ ଆଦେଶ କ୍ରମେ ଦିଲ୍ଲୀ ସରକାରଙ୍କୁ ଯେମିତି କିଛି ଅଧିକାର ମିଳିଲା ଆମ ଆଦମୀ ପାର୍ଟି ତୁରନ୍ତ ଭିଜିଲାନ୍ସ ଆୟୋଗଙ୍କ ଫାଇଲକୁ ନେଇଗଲା । କଣ ଥିଲା ଏହି ଫାଇଲରେ ? ଭିଜିଲାନ୍ସ ଆୟୋଗ କହିଛନ୍ତି ମନ୍ତ୍ରୀ ରାତି 9 ଟାରେ ଫୋନ କରି ଫାଇଲ ମାଗିନେଇଛନ୍ତି ।
ସୁଧାଂଶୁ ଆହୁରି କହିଛନ୍ତି ବିରୋଧୀ ବିଲ ପାସ ହେଲେ ଦିଲ୍ଲୀ ବ୍ୟୁରୋକ୍ରାସୀ ନିୟନ୍ତ୍ରଣକୁ ଆସିଯିବ ବୋଲି କହୁଛନ୍ତି । କିନ୍ତୁ ଦିଲ୍ଲୀରେ ଆମ ଆଦମୀ ପାର୍ଟିର ନେତା ସମସ୍ତ ପଦ ପଦବୀରେ ବସିଛନ୍ତି । ଏହାସହ ସମସ୍ତ ସରକାରୀ ସୁବିଧା ସୁଯୋଗ ନେଉଛନ୍ତି । ଦିଲ୍ଲୀର କୌଣସି ଷ୍ଟେଟ କ୍ୟାଡର ନାହିଁ । ଏହା କେନ୍ଦ୍ର ଶାସିତ ଅଞ୍ଚଳ ଅଧିନରେ ଆସୁଛି । ଦିଲ୍ଲୀରେ କେନ୍ଦ୍ର ଶାସିତ କ୍ୟାଡର ଲାଗୁ ହୋଇଥାଏ । ଦେଶରେ 8 ଟି କେନ୍ଦ୍ର ଶାସିତ ପ୍ରଦେଶ ରହିଛି । ଏହି 8 ଟି କେନ୍ଦ୍ର ଶାସିତ ପ୍ରଦେଶର ଅଧିକାରୀଙ୍କ ବଦଳି ନିଷ୍ପତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନେବେ କି ? ଏହି ଠାରେ ହିଁ ସମସ୍ୟା ସୃଷ୍ଟି ହେବ । ଏହାସହ ଦିଲ୍ଲୀରେ ସମସ୍ତ କେନ୍ଦ୍ରୀୟ ଏଜେନ୍ସୀର ମୁଖ୍ୟାଳୟ, ସମସ୍ତ ରାଜ୍ୟର ଭବନ, ସୁପ୍ରିମକୋର୍ଟ, ସଂସଦ, ବିଦେଶୀ ରାଷ୍ଟ୍ରର ରାଷ୍ଟ୍ରଦୂତ ସମେତ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ ରହିଛି । ଏପରି ସ୍ଥିତିରେ ଦିଲ୍ଲୀକୁ କୌଣସି ରାଜ୍ୟ ସରକାର ହାତରେ ଦିଆଯାଇ ପାରିବ ନାହିଁ । ଦିଲ୍ଲୀର ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ଠାରେ ରହିବା ଜରୁରୀ । ସୁଧାଂଶୁ ତ୍ରିବେଦୀଙ୍କ ଆକ୍ରମଣରେ କଂଗ୍ରେସ ଏକ ପ୍ରକାର ଧରାଶାୟୀ ହୋଇଯାଇଥିବା ବେଳେ, ପଏଣ୍ଟ ଟୁ ରିପ୍ଲେ ନେଇ ବିରୋଧୀ ଦଳନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ କହିଥିଲେ ବିଜେପି ସାଂସଦ ଶାୟରୀ ପ୍ରୟୋଗ କରି ଲମ୍ବା ଭାଷଣ ଦେଲେ । ‘ତୁମ ତ୍ରିବେଦୀ ହୋ ତୋ... ହମାରେ ପାସ ଚତୁର୍ବେଦ୍ଦୀ ହୈ’ । ଯାହାକୁ ନେଇ ରାଜ୍ୟସଭାରେ ହସ୍ୟାରୋଳ ସୃଷ୍ଟି ହୋଇଥିଲା ।