କୋଲକାତା:ମାତ୍ର ଆସନ୍ତା 5 ମାସ ମଧ୍ୟରେ ପଶ୍ଚିମବଙ୍ଗରେ ମମତା ସରକାରର ପତନ ହେବ । ଏପରି ଏକ ପୂର୍ବାକଳନ କରିଛନ୍ତି ବିଜେପି ସାଂସଦ ସାନ୍ତନୁ ଠାକୁର । ଉତ୍ତର 24 ପ୍ରଗଣା ଜିଲ୍ଲାର ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ସାଂସଦ ଶାନ୍ତନୁ ଠାକୁର କହିଛନ୍ତି ଯେ ଟିଏମସି ସରକାର 5 ମାସରୁ ଅଧିକ ସମୟ ଧରି ଶାସନରେ ରହିବ ନାହିଁ । କାରଣ ମମତା ସରକାର ନିଜର ଉପଯୋଗିତା ହରାଇ ସାରିଛି । ହେଲେ ନିକଟରେ ଶଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ମମତାଙ୍କ ଦଳ ଭଲ ପ୍ରଦର୍ଶନ କରିବା ଉପରେ ମଧ୍ୟ ସେ ସରକାରୀ କଳ ବଳର ଉପଯୋଗ ହୋଇଥିବା ଅଭିଯୋଗ କରିଛନ୍ତି । କହିଛନ୍ତି ମମତା ସରକାର ଯଦି ସରକାରୀ କଳ ଓ ବଳ ବ୍ୟବହାର କରିନଥାନ୍ତେ, ତେବେ ଭାରତୀୟ ଜନତା ପାର୍ଟି ଆହୁରି ହଜାରରୁ ଅଧିକ ଆସନରେ ବିଜୟ ଲାଭ କରିଥାଆନ୍ତା ।
ବର୍ତ୍ତମାନ କେନ୍ଦ୍ର ସରକାରରେ ବନ୍ଦର ଓ ଜାହାଜ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ଥିବା ଠାକୁର ଆହୁରି ମଧ୍ୟ ନିର୍ବାଚନୀ ହିଂସା ନେଇ ମମତା ସରକାରଙ୍କ ବିରୋଧରେ ବର୍ଷିଛନ୍ତି । କହିଛନ୍ତି, ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ 39 ଜଣ ନିର୍ବାଚନୀ ହିଂସାରେ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ତୃଣମୂଳ କଂଗ୍ରେସର କର୍ମୀ ଥିଲେ । ସେହିପରି କର୍ଯ୍ୟକ୍ରମ ପରେ ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର ମଧ୍ୟ କହିଛନ୍ତି, ‘‘ମମତା ସରକାରର କୁଶାସନ ଓ ଆତଙ୍କରାଜ ବିରୋଧରେ ଲୋକଙ୍କ ମନରେ କ୍ଷୋଭ ନଥିବ ସେକଥା କିଏ କହିପାରିବ । କୌଣସି ମୂହୁର୍ତ୍ତରେ କିଛି ବି ଘଟିପାରେ, ଦେଖନ୍ତୁ ଆଗକୁ କ’ଣ ହେଉଛି । ଯଦି ମମତାଙ୍କ ବିଧାୟକମାନେ ହଠାତ ତାଙ୍କ ନେତୃତ୍ବକୁ ମାନିବାକୁ ମନା କରନ୍ତି ତେବେ କିଛି ବି ହୋଇପାରେ । ମୁଁ ଏକଥା କହୁନାହିଁ ଯେ, ମମତା ସରକାରରେ ସେପରି ହେବାକୁ ଯାଉଛି । ହେଲେ ରାଜନୀତିରେ ସବୁ ସମ୍ଭବ । କୌଣସି ମୂହୂର୍ତ୍ତରେ କିଛି ବି ଘଟିପାରେ ।