ହାଇଦ୍ରାବାଦ:2024 ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ଏବେ ଠାରୁ ଆରମ୍ଭ ହୋଇଗଲାଣି । ଦଳ ଦଳ ମଧ୍ୟରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟ ଜୋର ଧରିଲାଣି । ଏହାରି ମଧ୍ୟରେ ବିହାରର ଜଣେ ମନ୍ତ୍ରୀ ବିସ୍ଫୋରକ ବୟାନ ଦେଇଛନ୍ତି । 2024 ସାଧାରଣ ନିର୍ବାଚନ ଜିତିବା ପାଇଁ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି କୌଣସି ଦେଶ ଉପରେ ଆକ୍ରମଣ କରିବ ବୋଲି କହିଛନ୍ତି ବିହାର ସମବାୟ ମନ୍ତ୍ରୀ ସୁରେନ୍ଦ୍ର ଯାଦବ । ତେବେ ଏପରି କରି ଦେଶବାସୀଙ୍କ ଠାରୁ ଲାଭ ଉଠାଇବାକୁ ବିଜେପି ପ୍ରୟାସ କରିବ ବୋଲି ମନ୍ତ୍ରୀ ଯାଦବ କହିଛନ୍ତି ।
ତେବେ ପରୋକ୍ଷ ଇଙ୍ଗୀତରେ 2019ରେ ପୁଲଓ୍ବାମାରେ ହୋଇଥିବା ଆକ୍ରମଣକୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ ମନ୍ତ୍ରୀ ଯାଦବ । ଯାହାର ମାତ୍ର କିଛି ମାସ ପରେ ସଧାରଣ ନିର୍ବାଚନ ହୋଇଥିବା ବେଳେ ଭାରତୀୟ ଜନତା ପାର୍ଟି ପୁଣି ଥରେ ସ୍ପଷ୍ଟ ବହୁମତ ପାଇଥିଲା । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦିତ୍ବୀୟ ପାଳି ଆରମ୍ଭ କରିଥିଲେ । ଏହି ଆକ୍ରମଣକୁ ସେ ବିଜେପିର ଏକ ଚାଲ ବୋଲି କହିବା ସହ 2024 ନିର୍ବାଚନ ପୂର୍ବରୁ ଦଳ ପୁଣି ସେହିପରି କିଛି କରିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଥିଲେ ।